
ଝାରସୁଗୁଡ଼ା, ୨ ଜୁନ୍ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ଏସ୍ଏଚ୍-୧୦ ଓ ଏନ୍ଏଚ୍-୪୯ରେ ନିର୍ମାଣାଧୀନ ସ୍ୱାଗତ ଗେଟ୍ ଗୁଡ଼ିକର ନିର୍ମାଣର ମାନ ଏବଂ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି ବିଜୁ ଜନତା ଦଳ। ଏହି ପ୍ରକଳ୍ପଗୁଡ଼ିକର ତୁରନ୍ତ ବୈଷୟିକ ଯାଞ୍ଚ ଓ ଗଠନମୂଳକ ଅଡିଟ୍ କରାଯିବା ଦାବିରେ ଦଳ ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଜିଲ୍ଲାର ସୌନ୍ଦର୍ଯ୍ୟକରଣ ଓ ବିକାଶ ପାଇଁ ପ୍ରଶାସନର ଉଦ୍ୟମ ପ୍ରଶଂସନୀୟ ହୋଇଥିଲେ ମଧ୍ୟ ନିର୍ମାଣାଧୀନ ସ୍ୱାଗତ ଗେଟ୍ ଗୁଡ଼ିକର ଗୁଣବତ୍ତା ଏବଂ ସୁରକ୍ଷାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି। ନିକଟରେ ବରଗଡ଼ ଜିଲ୍ଲାରେ ଏକ ସ୍ୱାଗତ ଗେଟ୍ ଭୁଶୁଡ଼ି ପଡ଼ିବା ଘଟଣା ପରେ ଏହି ଆଶଙ୍କା ଆହୁରି ବଢ଼ିଛି।
ସ୍ମାରକପତ୍ରରେ ଚାଲିଥିବା ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଆକଳନ ପାଇଁ ଏକ ସ୍ୱତନ୍ତ୍ର ବୈଷୟିକ ଦଳ ଗଠନ, ଗେଟ୍ ଗୁଡ଼ିକର ସୁରକ୍ଷା ଓ ଗଠନମୂଳକ ଅଡିଟ୍, ନିର୍ମାଣରେ ବ୍ୟବହୃତ ଲୁହା, କଂକ୍ରିଟ୍ ଓ ଫାଉଣ୍ଡେସନ୍ ସାମଗ୍ରୀର ମାନ ପରୀକ୍ଷା ସହ ପ୍ରକଳ୍ପ କାର୍ଯ୍ୟ ସରକାରୀ ନକ୍ସା ଓ ବୈଷୟିକ ନିର୍ଦ୍ଦେଶାବଳୀ ଅନୁଯାୟୀ ହେଉଛି କି ନାହିଁ ତାହାର ଯାଞ୍ଚ କରିବାକୁ ଦାବି କରାଯାଇଛି। ସରକାରୀ ପାଣ୍ଠି ବିନିଯୋଗରେ ସ୍ୱଚ୍ଛତା ବଜାୟ ରଖିବା ସହ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ବିଜେଡି ପକ୍ଷରୁ ଅନୁରୋଧ କରାଯାଇଛି। ଗୁଣବତ୍ତାରେ କୌଣସି ପ୍ରକାର ଅବହେଳା ଭବିଷ୍ୟତରେ ବଡ଼ ଦୁର୍ଘଟଣାର କାରଣ ହୋଇପାରେ ବୋଲି ହରିଶ ଗଣତ୍ରା କହିଛନ୍ତି।
ସ୍ମାରକପତ୍ର ପ୍ରଦାନ ବେଳେ ମ୍ୟୁନିସିପାଲିଟି ଅଧ୍ୟକ୍ଷା ରାନୀ ହାତୀ, ସାଧାରଣ ସମ୍ପାଦକ ପିଣ୍ଟୁ ପାଢ଼ୀ, ରବି ସିଂ, ଅଶୋକ ଦାସ, ମଦନ ହାତୀ, ଆଲୋକ ତ୍ରିପାଠୀ, ଶଶି ତିୱାରୀ, ପବନ ଶର୍ମା, ନବନୀତ କୌର ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ