
ନୂଆଦିଲ୍ଲୀ, ୨ ଜୁନ୍ (ହି.ସ.)- ସେଂଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସି. ବି. ଆଇ.) ଝାଡ଼ଖଣ୍ଡର ଗୋଡ୍ଡା ଜିଲ୍ଲାର ଡୁମାରିୟାସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍. ବି. ଆଇ.) ଶାଖାର ମ୍ୟାନେଜର ରୋହିତ କୁମାର ସିଂହଙ୍କୁ ୭୭ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଗିରଫ କରିଛି । ସିବିଆଇର ଏହି କାର୍ଯ୍ୟାନୁଷ୍ଠାନ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଆଲୋଡ଼ନ ସୃଷ୍ଟି କରିଛି ।
ସିବିଆଇ ଅନୁଯାୟୀ, ଏଜେନ୍ସି ମଇ ୩୧ ରେ ଏହି ମାମଲାରେ ଏଫଆଇଆର୍ ପଞ୍ଜୀକୃତ କରିଥିଲା । ଅଭିଯୋଗକାରୀ ଅଭିଯୋଗ କରିଥିଲେ ଯେ, ଶାଖା ମ୍ୟାନେଜର ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅଧୀନରେ ୨ ଲକ୍ଷ ଟଙ୍କାର ବୀମା ଦାବି ପୈଠ ପାଇଁ ୬୦ ହଜାର ଟଙ୍କା ଲାଂଚ ମାଗିଥିଲେ, ଯାହା ତାଙ୍କ ସ୍ୱର୍ଗତ ମା 'ଙ୍କର ଥିଲା ।
ଅଭିଯୋଗରେ ଏହା ମଧ୍ୟ କୁହାଯାଇଛି ଯେ, ଅଭିଯୋଗକାରୀଙ୍କ ମା ଙ୍କ ବ୍ୟାଙ୍କ ଖାତାକୁ ତାଙ୍କ ନାମରେ ସ୍ଥାନାନ୍ତରିତ କରାଯିବା ପରେ ଖାତାରୁ ୩୫ ହଜାର ଟଙ୍କା ଉଠାଣ ଉପରେ ଲାଗିଥିବା ରୋକ୍ ହଟାଇବାକୁ ମଧ୍ୟ ଅଭିଯୁକ୍ତ ମ୍ୟାନେଜର ଅତିରିକ୍ତ ୧୭ ହଜାର ଟଙ୍କା ଲାଂଚ ମାଗିଥିଲେ ।
ଅଭିଯୋଗ ପ୍ରାପ୍ତ ହେବା ପରେ ସିବିଆଇ ଏହି ମାମଲାକୁ ଯାଂଚ୍ କରିଥିଲା ଏବଂ ଅଭିଯୋଗ ପ୍ରମାଣିତ ହେବା ପରେ ଜାଲ ବିଛାଇ କାର୍ଯ୍ୟାନୁଷ୍ଠାନର ଯୋଜନା କରିଥିଲା । ଯୋଜନାବଦ୍ଧ ରଣନୀତିର ଅଂଶବିଶେଷ ସ୍ୱରୂପ, ସିବିଆଇ ଟିମ୍ ଅଭିଯୁକ୍ତ ଶାଖା ମ୍ୟାନେଜରଙ୍କୁ ଅଭିଯୋଗକାରୀଙ୍କ ଠାରୁ ୭୭ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଧରିଥିଲା । ସିବିଆଇ ଅଧିକାରୀମାନେ ଅଭିଯୁକ୍ତକୁ ଘଟଣାସ୍ଥଳରୁ ଗିରଫ କରିଥିଲେ ଏବଂ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନର ସମ୍ବନ୍ଧିତ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ଗିରଫ ପରେ, ଏହି ମାମଲା ସହ ଜଡ଼ିତ ଅନ୍ୟାନ୍ୟ ପ୍ରମାଣ ଏବଂ ଦସ୍ତାବିଜ ସଂଗ୍ରହ କରିବା ପାଇଁ ଏଜେନ୍ସି ଅଭିଯୁକ୍ତଙ୍କ କାର୍ଯ୍ୟାଳୟ ଏବଂ ଆବାସିକ ପରିସରରେ ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ କରିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ