
ଚମ୍ପୁଆ, ୨ ଜୁନ୍ (ହି.ସ.)- ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଚରମ ଅବହେଳା ଯୋଗୁଁ ଚମ୍ପୁଆ ବସଷ୍ଟାଣ୍ଡରେ ଥିବା ପିଇବା ପାଣି ପ୍ରକଳ୍ପ ଏବେ ନର୍କପୁରୀରେ ପରିଣତ ହୋଇଛି। ପ୍ରଚଣ୍ଡ ରୌଦ୍ରତାପ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ବସଷ୍ଟାଣ୍ଡରେ ଥିବା ପିଇବା ପାଣି ଟ୍ୟାପ ଚାରିପାଖ ଅତ୍ୟନ୍ତ ଅପରିଷ୍କାର ହୋଇ ପଡ଼ି ରହିଛି। ଜଳାଶୟ ଚାରିପାଖରେ ମାଡ଼ିଯାଇଥିବା ମୋଟା ଶିଉଳି ଏବଂ ଦୁର୍ଗନ୍ଧମୟ ପରିବେଶ ସ୍ଥାନୀୟ ଅଞ୍ଚଳରେ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି। ଏହି ପ୍ରମୁଖ ବସଷ୍ଟାଣ୍ଡ ଉପରେ କେବଳ ଚମ୍ପୁଆ ଅଞ୍ଚଳବାସୀ ନୁହଁନ୍ତି, ବରଂ ଦୈନିକ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଏବଂ ପଡ଼ୋଶୀ ଜିଲ୍ଲା ମୟୂରଭଞ୍ଜର ଶତାଧିକ ଯାତ୍ରୀ ନିର୍ଭର କରିଥାନ୍ତି। ଏହି ଡହଡହ ଖରା ଓ ଗରମରେ ଶୋଷ ମେଣ୍ଟାଇବା ପାଇଁ ଯାତ୍ରୀମାନେ ଅନ୍ୟ କୌଣସି ବିକଳ୍ପ ନପାଇ ବାଧ୍ୟ ହୋଇ ସେହି ଅସ୍ୱାସ୍ଥ୍ୟକର, ଜୀବାଣୁଯୁକ୍ତ ପାଣି ପିଉଛନ୍ତି। ଏହାଦ୍ୱାରା ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ସାଧାରଣ ଜନତା ଏବଂ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ସହ ପ୍ରଶାସନ ଖେଳୁଥିବା ଭଳି ମନେହେଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ସତ୍ତ୍ୱେ ଏନଏସି କର୍ତ୍ତୃପକ୍ଷଙ୍କ ଆଖି ଖୋଲୁନାହିଁ କି କୌଣସି ସଫେଇ କାର୍ଯ୍ୟ କରାଯାଉନାହିଁ। ବିଭାଗୀୟ ଅଧିକାରୀଙ୍କ ଏଭଳି ଦାୟିତ୍ୱହୀନତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହି ପାଣି ଟ୍ୟାପର ମରାମତି, ସଫେଇ ଏବଂ ବିଶୁଦ୍ଧ ପିଇବା ପାଣିର ବ୍ୟବସ୍ଥା କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଯାତ୍ରୀ ମହଲରେ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta