
ଚମ୍ପୁଆ, 02 ଜୁନ୍ (ହି.ସ.) କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଅବ୍ୟବସ୍ଥା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ଦେଖିବାକୁ ମିଳୁଛି। କାର୍ଯ୍ୟାଳୟକୁ ଆସୁଥିବା ଲୋକମାନେ ସାଧାରଣ ମୌଳିକ ସୁବିଧାରୁ ମଧ୍ୟ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଏଠାରେ ବୈଠକ ଗୃହରେ ଚେୟାର ନଥିବାରୁ ସାଧାରଣ ଲୋକେ ତଳେ ବସୁଥିବା ଦେଖିବାକୁ ମିଳିଛି । ସରକାରୀ କାର୍ଯ୍ୟାଳୟକୁ ବିଭିନ୍ନ ସମସ୍ୟାର ସମାଧାନ କିମ୍ବା ଆଲୋଚନା ପାଇଁ ଆସୁଥିବା ନାଗରିକ ଏବଂ ପ୍ରତିନିଧିମାନେ ବସିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନପାଇ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଏନଏସି କାର୍ଯ୍ୟାଳୟକୁ ଆସୁଥିବା ବରିଷ୍ଠ ନାଗରିକ ତଥା ବୃଦ୍ଧ, ବୃଦ୍ଧା ସାଧାରଣ ଜନତା ସବୁଠୁ ଅଧିକ ହଇରାଣ ହେଉଥିବା ଜଣା ପଡିଛି। ଚମ୍ପୁଆ ଏନଏସି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ବୈଠକ ଗୃହ ଭଳି ପ୍ରମୁଖ ସ୍ଥାନରେ ଆସନର ବ୍ୟବସ୍ଥା ନ ରହିବା ଚମ୍ପୁଆ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ପଦାରେ ପକାଇଛି। ପ୍ରଶାସନିକ ଅଧିକାରୀ ମାନଙ୍କ ଅବହେଳା କାରଣରୁ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ବରିଷ୍ଠ ନାଗରିକ ଓ ଜନସାଧାରଣ ତଳେ ବସିବାକୁ ବାଧ୍ୟ ହେଉଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସରକାରୀ ଗୃହରେ ସର୍ବସାଧାରଣଙ୍କ ପାଇଁ ସର୍ବନିମ୍ନ ବସିବା ବ୍ୟବସ୍ଥା ନରହିବା ଦ୍ୱାରା କାର୍ଯ୍ୟାଳୟର ସମ୍ମାନ ଏବଂ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏନଏସି କାର୍ଯ୍ୟାଳୟ କର୍ତ୍ତୃପକ୍ଷ ବୈଠକ ଗୃହରେ ପର୍ଯ୍ୟାପ୍ତ ସଂଖ୍ୟକ ଚେୟାର ବା ଆସନର ତୁରନ୍ତ ବ୍ୟବସ୍ଥା କରିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ତେଣୁ ଏଥିପ୍ରତି ଚମ୍ପୁଆ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସ୍ଥାନୀୟ ଜନପ୍ରତିନିଧିମାନେ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta