
ପୁରୀ/ପିପିଲି, ୨ ଜୁନ୍ (ହି.ସ.)- ପୁରୀ ଜିଲ୍ଲା ପିପିଲି ଥାନା ସାତସଙ୍ଖ ଫାଣ୍ଡି ଅନ୍ତର୍ଗତ ଅର୍ଜୁନସିଂପୁର ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଘର ଭିତରୁ ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ପାରିବାରିକ କଳହକୁ କେନ୍ଦ୍ର କରି ସେମାନେ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ଖବର ପାଇ ସାତଶଙ୍ଖ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।
ମଙ୍ଗଳବାର ଦିନ ସକାଳ ସମୟରେ ବହୁ ସମୟ ଧରି ଉଭୟ ଘରର କବାଟ ଖୋଲିନଥିଲେ । ଶେଷରେ ପଡୋଶୀ ଲୋକ ସନ୍ଦେହ କରି ଘରର କବାଟ ଭାଙ୍ଗିଥିଲେ । ଏହାପରେ ଘର ଭିତରେ ଦୁଇ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ । ପଡୋଶୀ ଲୋକ ଏ ବାବଦରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ସାତଶଙ୍ଖ ଫାଣ୍ଡି ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସର ପ୍ରାଥମିକ ତଦନ୍ତରୁ ସ୍ୱାମୀ-ସ୍ତ୍ରୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତଦନ୍ତ ପରେ ସମ୍ପୂର୍ଣ୍ଣ ଘଟଣାର ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ