
ଭୁବନେଶ୍ୱର, ୦୨ ଜୁନ (ହି.ସ.) : ରାଜ୍ୟର ଶିଶୁମାନଙ୍କ ପୁଷ୍ଟିକର ଖାଦ୍ୟ, ସକାଳ ଜଳଖିଆ ଏବଂ ସାମଗ୍ରିକ ବିକାଶକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବାର୍ଷିକ ୧୩୭.୫୭ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହା ସହିତ ଶିଶୁ ଜୀବନର ପ୍ରଥମ ୧୦୦୦ ଦିନର ଗୁରୁତ୍ୱକୁ ନେଇ ପ୍ରସ୍ତୁତ ଏକ ସରଳ ଡିଜିଟାଲ ବହିର ମଧ୍ୟ ଉନ୍ମୋଚନ କରିଛନ୍ତି ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ଦିଆଯାଉଥିବା ଖାଦ୍ୟ ଏବଂ ପ୍ରାକ୍-ବିଦ୍ୟାଳୟର ସମସ୍ତ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସକାଳ ଜଳଖିଆର ମୂଲ୍ୟବୃଦ୍ଧି ସହ ଶିଶୁମାନଙ୍କ ସୁସ୍ଥ ବିକାଶ ନିମନ୍ତେ ଏହି ଅତିରିକ୍ତ ବ୍ୟୟବ୍ୟବସ୍ଥା କରାଯାଇଛି।
ସେ କହିଛନ୍ତି ଯେ, ଶିଶୁ ଜୀବନର ପ୍ରଥମ ୧୦୦୦ ଦିନ ସେମାନଙ୍କ ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ଉନ୍ମୋଚିତ ଡିଜିଟାଲ ବହିରେ ଓଡ଼ିଆ ଭାଷାରେ ଅତି ସରଳ ଭାବରେ ପ୍ରତ୍ୟେକ ପର୍ଯ୍ୟାୟ ଓ ତାହାର ଯତ୍ନ ସମ୍ପର୍କିତ ତଥ୍ୟ ଉପସ୍ଥାପିତ କରାଯାଇଛି।
ଏହି ଡିଜିଟାଲ ବହିକୁ ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ଡ. ମୃଣାଲିନୀ ଦର୍ସୱାଲ , ବିଭାଗର ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ