
ଝାରସୁଗୁଡ଼ା, ୨ ଜୁନ୍ (ହି.ସ.)- ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି। ପୂର୍ବତନ ବିଧାୟିକା ଦୀପାଳୀ ଦାସ ବର୍ତ୍ତମାନର ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉପରେ ପୂର୍ବରୁ ଲୋକାର୍ପିତ ପ୍ରକଳ୍ପଗୁଡ଼ିକୁ ପୁନର୍ବାର ଉଦଘାଟନ କରି ଜନସାଧାରଣଙ୍କୁ ଭ୍ରମିତ କରୁଥିବାର ଅଭିଯୋଗ ଆଣିଛନ୍ତି।
ସୋମବାର କୋଲାବିରା ବ୍ଲକର ବିଭିନ୍ନ ରାସ୍ତା ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ବିଧାୟକ ଶ୍ରୀ ତ୍ରିପାଠୀଙ୍କ ଦ୍ୱାରା କରାଯାଇଥିଲା। ଏହା ପରେ ପ୍ରତିକ୍ରିୟା ରଖି ଦୀପାଳୀ ଦାସ କହିଛନ୍ତି ଯେ, ଏହି ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଲୋକାର୍ପଣ ପୂର୍ବରୁ ହୋଇସାରିଛି। ପ୍ରକଳ୍ପ ଫଳକରେ ଉଲ୍ଲେଖ ଥିବା ତାରିଖ ଓ ବର୍ଷ ଏହାର ପ୍ରମାଣ ବୋଲି ସେ ଦାବି କରିଛନ୍ତି।
ଦୀପାଳୀ ଦାସଙ୍କ ଅଭିଯୋଗ ଅନୁଯାୟୀ, ବିଗତ ଦୁଇ ବର୍ଷ ମଧ୍ୟରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ କୌଣସି ନୂତନ ବଡ଼ ଜନମଙ୍ଗଳକାରୀ କିମ୍ବା ଉନ୍ନୟନମୂଳକ ପ୍ରକଳ୍ପ ଆରମ୍ଭ ହୋଇନାହିଁ। ପୂର୍ବରୁ ରାଜ୍ୟ ପୂର୍ତ୍ତ ଓ ନିର୍ମାଣ ବିଭାଗ ଦ୍ୱାରା ସମ୍ପନ୍ନ କରାଯାଇଥିବା କାର୍ଯ୍ୟଗୁଡ଼ିକୁ ନିଜର ସଫଳତା ଭାବେ ଦେଖାଇ ବିଧାୟକ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ଲୋକାର୍ପିତ ପ୍ରକଳ୍ପଗୁଡ଼ିକର ପୁନଃ ଉଦଘାଟନ କରି ସରକାରୀ ଅର୍ଥରେ ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ କରାଯିବା ଏକ ଦେଖାଣିଆ ରାଜନୀତିର ଉଦାହରଣ। ଝାରସୁଗୁଡ଼ାର ସଚେତନ ନାଗରିକମାନେ ଏହି ଘଟଣାକୁ ଭଲଭାବେ ବୁଝୁଛନ୍ତି ଏବଂ ଆଗାମୀ ଦିନରେ ଏହାର ଉଚିତ ଜବାବ ଦେବେ ବୋଲି ସେ ମତ ପ୍ରକାଶ କରିଛନ୍ତି। ତେବେ ଏହି ଅଭିଯୋଗ ନେଇ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ