
ଝାରସୁଗୁଡ଼ା, ୦୨ ଜୁନ୍ (ହି.ସ.) - ଝାରସୁଗୁଡ଼ା ଜିଲ୍ଲାର ଗ୍ରାମାଂଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଓ ଅଂଚଳର ସାମଗ୍ରିକ ବିକାଶକୁ ଗତିଶୀଳ କରିବା ଲକ୍ଷ୍ୟରେ ସୋମବାର ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଏହି ପ୍ରକଳ୍ପଗୁଡ଼ିକର ଶୁଭ ଶିଳାନ୍ୟାସ କରିଥିଲେ।
ରାଜ୍ୟ ଯୋଜନା ଅଧୀନରେ ତୁମ୍ବେକେଲାରୁ କୁମ୍ଭାରୀ ପର୍ଯ୍ୟନ୍ତ ପ୍ରମୁଖ ସଡ଼କର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରାସ୍ତାର ପ୍ରଶସ୍ତିକରଣ ଓ ଦୃଢ଼ୀକରଣ କାର୍ଯ୍ୟକୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଛି। ଏଥିମଧ୍ୟରେ ଖେରୱାଲରୁ ହିର୍ମା ରାସ୍ତା, ସରସମାଲ ବାଇପାସ୍ ଛକରୁ ମରାକୁଟା ରାସ୍ତା, ମରାକୁଟାରୁ ତିହାଡ଼ିପାଲି ଦେଇ ଜାତୀୟ ରାଜପଥ-୪୯ ସଂଯୋଗୀକରଣ ରାସ୍ତା ଏବଂ ପଂଚପଡ଼ା ଗ୍ରାମରୁ ଇବ୍ ନଦୀ ପର୍ଯ୍ୟନ୍ତ ସଡ଼କ ଅନ୍ତର୍ଭୁକ୍ତ ରହିଛି।
ଏହି ଅବସରରେ ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ ଯେ, ସଡ଼କ ଭିତିଭୂମିର ବିକାଶ ଅଂଚଳର ଆର୍ôଥକ ଓ ସାମାଜିକ ପ୍ରଗତିର ମୂଳ ଆଧାର। ଏହି ପ୍ରକଳ୍ପଗୁଡ଼ିକ କେବଳ ରାସ୍ତା ନିର୍ମାଣରେ ସୀମିତ ନ ରହି ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ଆଶା ଓ ଆକାଂକ୍ଷାକୁ ପୂରଣ କରିବ। ଆଗାମୀ ଦିନରେ ମଧ୍ୟ ଅଂଚଳର ସର୍ବାଙ୍ଗୀଣ ବିକାଶ ଓ ଜନକଲ୍ୟାଣ ପାଇଁ ପ୍ରୟାସ ଜାରି ରହିବ ବୋଲି ସେ କହିଥିଲେ।
ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବା ପରେ ସ୍ଥାନୀୟ ଅଂଚଳର ଗମନାଗମନ ବ୍ୟବସ୍ଥାରେ ଉଲ୍ଲେଖନୀୟ ସୁଧାର ଆସିବା ସହ ଗ୍ରାମାଂଚଳ ଓ ସହରାଂଚଳ ମଧ୍ୟରେ ସଂଯୋଗ ଆହୁରି ସହଜ ହେବ ବୋଲି ଆଶା କରାଯାଉଛି।
ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିଜେପି ନେତା ପ୍ରମୋଦ ତ୍ରିପାଠୀ, ଝାରସୁଗୁଡ଼ା ମଣ୍ଡଳ ସଭାପତି ହେମ ରଞ୍ଜନ ସିଂହଙ୍କ ସମେତ ବହୁ ସ୍ଥାନୀୟ ନେତୃବୃନ୍ଦ, ବିଭାଗୀୟ ଅଧିକାରୀ ଓ ବିପୁଳ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ