
ଭୁବନେଶ୍ୱର,୦୨ ଜୁନ (ହି.ସ)- ସୌର ଶକ୍ତିର ଉପଯୋଗ ଓ ସ୍ଥାୟୀ ବିକାଶ ଦିଗରେ ଓଡ଼ିଶା ଆଜି ସାରା ଦେଶ ପାଇଁ ଏକ ଦୃଷ୍ଟାନ୍ତ ପାଲଟିଛି। ମେ' ୨୦୨୬ ମାସରେ ଆୟୋଜିତ 'ମନ୍ଥ ଅଫ୍ ସୋଲାର ' ଅଭିଯାନରେ ଓଡ଼ିଶାକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି।
ଓଡ଼ିଶାକୁ 'ପିଏମ୍ ସୂର୍ଯ୍ୟଘର ଏକ୍ସିଲେନ୍ସ ଆୱାର୍ଡସ୍' ପାଇଁ ଚୟନ କରାଯାଇଛି, ଯେଉଁଥିରେ ଆମେ ସର୍ବାଧିକ ଗ୍ରାହକଙ୍କ ଆବେଦନ, ସର୍ବାଧିକ ସୌର ସ୍ଥାପନ ଏବଂ ସର୍ବାଧିକ ଡିସକମ୍ ଯାଂଚ କ୍ଷେତ୍ରରେ ମଧ୍ୟମ ଧରଣର ଗ୍ରାହକ ସଂଖ୍ୟା ଥିବା ରାଜ୍ୟମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛୁ। ଏତଦ୍ବ୍ୟତୀତ, 'ମାକ୍ସିମମ୍ ଭେଣ୍ଡର ରେଜିଷ୍ଟ୍ରେସନସ୍ ' ବର୍ଗରେ ଆମ ରାଜ୍ୟ ତୃତୀୟ ସ୍ଥାନ ହାସଲ କରିଛି। ଏହି ସଫଳତା ଆମ ସରକାରଙ୍କ ସୁଦୂରପ୍ରସାରୀ ଚିନ୍ତାଧାରା, ବିଭାଗୀୟ ସମନ୍ୱୟ ଓ କ୍ଷେତ୍ରସ୍ତରରେ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କ ସାମୂହିକ ପ୍ରୟାସର ଫଳ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିବା ସହ ଏହି ଅଭିଯାନ ସହ ସମ୍ପୃକ୍ତ ସମସ୍ତ ବିଭାଗ, ଅଧିକାରୀ ଓ ଅଂଶୀଦାରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଓଡ଼ିଶା ନବୀନ ଶକ୍ତି କ୍ଷେତ୍ରରେ ପରିବେଶ ଅନୁକୂଳ ବିକାଶ ପାଇଁ ସଂକଳ୍ପବଦ୍ଧ ଏବଂ ଏହି ସଫଳତା ଆଗାମୀ ଦିନରେ ରାଜ୍ୟର ଶକ୍ତି କ୍ଷେତ୍ରକୁ ଆହୁରି ସମୃଦ୍ଧ କରିବା ସହ ଏକ ଆତ୍ମନିର୍ଭରଶୀଳ ଓଡ଼ିଶା ଗଠନରେ ମୂଳଦୁଆ ପକାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା