
ଝାରସୁଗୁଡ଼ା, ୨ ଜୁନ୍ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ପୋଲିସ କଣ୍ଟାପାଲି ଗ୍ରାମରେ ଘଟିଥିବା ଏକ ଚୋରି ମାମଲାର ସଫଳ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ସୁନା ଓ ରୁପା ଅଳଙ୍କାର, ଏକ ଏଲଜି ଏଲଇଡି ଟିଭି, ହିରୋ ଏଚଏଫ ଡିଲକ୍ସ ମୋଟରସାଇକେଲ ସମେତ ବିପୁଳ ଚୋରି ସାମଗ୍ରୀ ଜବତ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଗତ ମେ ୧୮ ତାରିଖ ରାତିରେ ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧୀଛକ ଫାଣ୍ଡି ଅଧୀନ ରାଜପୁର-କଣ୍ଟାପାଲି ଗ୍ରାମର ଏକ ପରିବାର ଘରେ ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ସୁନା-ରୁପା ଗହଣା, ଏଲଇଡି ଟିଭି ଓ ନଗଦ ଟଙ୍କା ଚୋରି କରିଥିଲେ। ଏନେଇ ଅଭିଯୋଗ ମିଳିବା ପରେ ବ୍ରଜରାଜନଗର ଥାନାରେ କେସ୍ ନମ୍ବର-୧୧୫ ରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ ସାଇଣ୍ଟିଫିକ ଟିମ୍ ସହଯୋଗରେ ଘଟଣାସ୍ଥଳରୁ ସଂଗ୍ରହ କରାଯାଇଥିବା ଫିଙ୍ଗରପ୍ରିଣ୍ଟ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ପୋଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା। ପରବର୍ତ୍ତୀ ସମୟରେ ୩ ଜଣଙ୍କୁ ଗିରଫ କରାଯାଇଥିବା ନେଇ ମଙ୍ଗଳବାର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ା ସଦର ଥାନା ମାଲିପଡ଼ା ଅଞ୍ଚଳର ସୁବୋଧ ସାହୁ (୩୪), ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଭାଲୁବାହାଲ ଗ୍ରାମର ସଞ୍ଜୟ କେଶରୀ (୪୨) ଏବଂ ଧୁରୁଆଡ଼ିହି ଥାନା ଅଞ୍ଚଳର ସରୋଜ ମିଶ୍ର। ସୁବୋଧ ସାହୁ ଓ ସଞ୍ଜୟ କେଶରୀଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି। ଅଭିଯୁକ୍ତମାନଙ୍କ ନିକଟରୁ ଜବତ ହୋଇଥିବା ସମସ୍ତ ସାମଗ୍ରୀକୁ ପୋଲିସ ଜବତ କରି ଆଇନଗତ ପଦକ୍ଷେପ ଜାରି ରଖିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ