
ରାଇରଙ୍ଗପୁର, ୨ ଜୁନ୍ (ହି.ସ.)- ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଓ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ରାଜ୍ୟବ୍ୟାପୀ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ସବିଶେଷ ସୂଚନା ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ଏବଂ ଉକ୍ତ କାର୍ଯ୍ୟର ସଫଳତା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବା ଉଦ୍ଦେଶ୍ୟରେ ସାଧାରଣ ଜନତାଙ୍କୁ ସଚେତନ କରାଇବା ନିମନ୍ତେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଉପଜିଲ୍ଲାପାଳ ଉଗ୍ରସେନ ଓରାମ ଓ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା ପତାକା ଦେଖାଇ ରାଇରଙ୍ଗପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ଦୁଇ ଗୋଟି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ଉକ୍ତ ସଚେତନତା ରଥ ରାଇରଙ୍ଗପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀରେ ପରିଭ୍ରମଣ କରି ସ୍ୱତନ୍ତ୍ର ସଘନ ସଂଶୋଧନର ସମ୍ପୂର୍ଣ୍ଣ ପ୍ରକ୍ରିୟା ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ସହ ସଚେତନତା ବାର୍ତ୍ତା ପହଞ୍ଚାଇବ। ଆବଶ୍ୟକ ସ୍ଥଳେ ନାଗରିକମାନେ ଟୋଲଫ୍ରି ନମ୍ବର ୧୯୫୦ ଜରିଆରେ/ଭୋଟର୍ସ ଡଟ ଇସିଆଇ ଡଟ ଗୋଭ ଡଟ ଇନ ୱେବ ସାଇଟ କୁ ଯାଇ /ଇସିଆଇନେଟ ଆପ କୁ ଯାଇ ବୁକ ଏ କଲ ଉଇଥ ଵି ଏଲ ଓ ସୁବିଧାର ଉପଯୋଗ କରି ପାରିବେ।
ଏହି ଅବସରରେ ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ଓରାମ କହିଥିଲେ ଯେ, ଏସ୍ଆଇଆର୍ ପ୍ରକ୍ରିୟାର ମୂଳ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାର ସଠିକତା ସୁନିଶ୍ଚିତ କରିବା ଓ ସମସ୍ତ ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ତଥା ଭୋଟର ତାଲିକାକୁ ଅଦ୍ୟତନ ଓ ସତ୍ୟାପନ କରିବା । ଏହି ଅଭିଯାନ ମାଧ୍ୟମରେ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ କରାଯିବା ସହ ମୃତ, ସ୍ଥାନାନ୍ତରିତ ଏବଂ ଅଯୋଗ୍ୟ ମତଦାତାଙ୍କ ନାମ ଚିହ୍ନଟ କରି ଭୋଟର ତାଲିକାରୁ ବାଦ୍ ଦେବା । ତତ ସହିତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ଯୋଗ୍ୟତା ସୂଚକ ତାରିଖ ୧ ଜୁଲାଇ ୨୦୨୬କୁ ଦୃଷ୍ଟିରେ ରଖି କୌଣସି ଯୋଗ୍ୟ ଭୋଟର ଯେପରି ଭୋଟରତାଲିକାରୁ ବାଦ୍ ନପଡ଼ନ୍ତି ସେଥିପ୍ରତି ତୀକ୍ଷ୍ଣଧ୍ୟାନ ରଖି ଆଗାମୀ ସେପ୍ଟେମ୍ବର ୬ ତାରିଖରେ ପ୍ରକାଶିତ ହେବାକୁ ଥିବା ତ୍ରୁଟିଶୁନ୍ୟ ଭୋଟର ତାଲିକା ପାଇଁ ତଥ୍ୟ ସଂଗ୍ରହ କରିବା।
ଏହି ପରିପ୍ରେକ୍ଷୀରେ ଜୁନ୍ ୨୮, ୨୦୨୬ ପର୍ଯ୍ୟନ୍ତ ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ) ଘରକୁ ଘର ଯାଇ ମତଦାତାଙ୍କ ସୂଚନା ଯାଞ୍ଚ କରିବା ସହ ପ୍ରତ୍ୟେକ ଭୋଟରଙ୍କ ପାଇଁ ୨ଟି ଲେଖାଏଁ ପରିଗଣନା ଫର୍ମ ବଣ୍ଟନ କରିବେ ଓ ଆବେଦନକାରୀ (ଭୋଟର)ଙ୍କ ଦ୍ୱାରା ପୂରଣ କରାଯାଇସାରିଥିବା ଗୋଟିଏ ପରିଗଣନା ଫର୍ମ ସଂଗ୍ରହ କରିବେ ଓ ଅନ୍ୟ ଗୋଟିକ ପରିଗଣନା ଫର୍ମ ପ୍ରାପ୍ତିସ୍ୱୀକାର ପତ୍ର ଭାବେ ନିର୍ବାଚକଙ୍କୁ ପ୍ରଦାନ କରିବେ । ଵିଏଲଓ ମାନଙ୍କ ଏହି ତଥ୍ୟ ସଂଗ୍ରହ ସର୍ଭେ ଓ ପରିଗଣନା ଫର୍ମ ପୂରଣ କାର୍ଯ୍ୟ ସମୟରେ ଜନସାଧାରଣ କୌଣସି ବିଭ୍ରାନ୍ତିକର ଗୁଜବରେ ବିଶ୍ୱାସ ନକରି ସଠିକ ତଥ୍ୟ ପ୍ରଦାନ କରିବା ସହ ଵିଏଲଓ ମାନଙ୍କୁ ସେମାନଙ୍କ କାର୍ଯ୍ୟ ସମ୍ପାଦନରେ ସହଯୋଗ କରିବା ପାଇଁ ପ୍ରଶାସନ ତରଫରୁ ନିବେଦନ କରାଯାଉଛି।
ଭୋଟର ମାନଙ୍କ ଠାରୁ ପ୍ରାପ୍ତ ତଥ୍ୟ ଆଧାରରେ ଜୁଲାଇ ୫ ତାରିଖରେ ଚିଠା ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଏହି କାର୍ଯ୍ୟର ସଫଳ ରୂପାୟନ ପାଇଁ ସମସ୍ତ ବିଏଲ୍ଓ ଏବଂ ବିଏଲ୍ଓ ସୁପରଭାଇଜରଙ୍କୁ ପୂର୍ବରୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ବେଳେ ସହକାରୀ ଭୋଟର ପଞ୍ଜିକରଣ ତଥା ବିଡିଓ ତହସିଲଦାର, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସହ ଉକ୍ତ ସଂଶୋଧନ ପ୍ରକ୍ରିୟା କାର୍ଯ୍ୟରେ ନିଯୁକ୍ତ ଅନ୍ୟାନ୍ୟ ଅଧିକାରୀମାନେ ପ୍ରକ୍ରିୟାର ନିରନ୍ତର ତଦାରଖ କରିବେ।
ଏସ୍ଆଇଆର୍ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟ ସମ୍ପର୍କରେ ସୂଚନା ଦେଇ ଉପଜିଲ୍ଲାପାଳ କହିଥିଲେ ଯେ, ଜୁଲାଇ ୫ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯାଇ ଉପଯୁକ୍ତ ଅନୁଧ୍ୟାନ ପୂର୍ବକ ଏହାର ସମାଧାନ କରାଯିବ ଏବଂ ସେପ୍ଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ କରାଯିବ। ଏହି କାର୍ଯ୍ୟକ୍ରମରେ ଡେପୁଟି ଜିଲ୍ଲାପାଳ ଶ୍ରୀ ମାନସ କୁମାର ବେହେରା, ସହକାରୀ ଜିଲ୍ଲାପାଳ ଶ୍ରୀ ସୁଧାକର ସେଠୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି, ବରିଷ୍ଠ ରାଜସ୍ବ ସହାୟକ ପ୍ରସାଦ ବେହେରା, ଦୀପକ କୁମାର ମହାନ୍ତ, କେଶବ ନାୟକ, ଡିଇଓ ଦୁର୍ଗା ପ୍ରସାଦ ଦାଶ ପ୍ରମୁଖଙ୍କସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ