
ଭୁବନେଶ୍ୱର,୦୨ ଜୁନ (ହି.ସ)-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ‘ଇନଷ୍ଟିଚ୍ୟୁଟ୍ ଅଫ୍ ଟାଉନ୍ ପ୍ଲାନର୍ସ, ଇଣ୍ଡିଆ’ ଓଡ଼ିଶା ଶାଖା ପକ୍ଷରୁ ଏକ ବ୍ୟାପକ ରୂପରେଖ ପ୍ରସ୍ତାବ ଦିଆଯାଇଛି। ଏଥିରେ ବୃତିଗତ ନଗର ଯୋଜନାବିତ (ଟାଉନ୍ ପ୍ଲାନର) ମାନଙ୍କର ବଡ଼ ଆକାରରେ ନିଯୁକ୍ତି ଏବଂ ଆନୁଷ୍ଠାନିକ ସଂସ୍କାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।
ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ପରାମର୍ଶ ବୈଠକରେ ଏହି ସୁପାରିଶଗୁଡ଼ିକୁ ଉପସ୍ଥାପନ କରାଯାଇଛି। ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ନଗର ଯୋଜନା ନିର୍ଦ୍ଦେଶକ ଶତ୍ରୁଘ୍ନ କର, ଆଇ.ଟି.ପି.ଆଇ. ଓଡ଼ିଶା ଶାଖାର ପ୍ରତିନିଧି ଏବଂ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଆଇ.ଟି.ପି.ଆଇ. ପକ୍ଷରୁ ରାଜ୍ୟରେ ଯୋଗ୍ୟତାସମ୍ପନ୍ନ ଟାଉନ୍ ପ୍ଲାନରଙ୍କର ବଡ଼ ଅଭାବ ଥିବା ନେଇ ଦର୍ଶାଯାଇଛି। ନୀତି ଆୟୋଗଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ଯୋଜନା ମାନଦଣ୍ଡ ଅନୁଯାୟୀ, ଓଡ଼ିଶାର ସହରୀ ବିକାଶକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ପ୍ରାୟ ୪୭୦ ଜଣ ଟାଉନ୍ ପ୍ଲାନରଙ୍କ ଆବଶ୍ୟକତା ରହିଛି।
ଅନେକ ବିକାଶ ମଧ୍ୟ ନିୟମିତ ଟାଉନ୍ ପ୍ଲାନରଙ୍କ ବିନା କାର୍ଯ୍ୟ କରୁଛନ୍ତି, ଏବଂ ଅନେକ ସହରୀ ସ୍ଥାନୀୟ ସଂସ୍ଥା ବିଲ୍ଡିଂ ପ୍ଲାନ୍ ଅନୁମୋଦନ ଓ ବୈଧାନିକ ଯୋଜନା କାର୍ଯ୍ୟ ପାଇଁ ଅସ୍ଥାୟୀ ଚୁକ୍ତିଭିତିକ ବ୍ୟବସ୍ଥା ଉପରେ ନିର୍ଭର କରୁଛନ୍ତି।
ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସହରୀ ଯୋଜନା ଏକ ଉଚ୍ଚ ବିଶେଷଜ୍ଞତା ସମ୍ପନ୍ନ ଓ ବହୁମୁଖୀ ବୃତି, ଯେଉଁଥିରେ ଜମି ବ୍ୟବହାର ଯୋଜନା, ଭିତିଭୂମି ବିକାଶ, ଗୃହ ନିର୍ମାଣ, ପରିବହନ, ପରିବେଶ ପରିଚାଳନା, ଅର୍ଥନୈତିକ ବିକାଶ ଏବଂ ସାମାଜିକ ଅନ୍ତର୍ଭୁକ୍ତିକରଣ ଅନ୍ତର୍ଭୁକ୍ତ। ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ଓ ନବୀକରଣ, ଜମି ପୁଲିଂ ମାଧ୍ୟମରେ ନଗର ଯୋଜନା ସ୍କିମ୍ କାର୍ଯ୍ୟକାରୀ କରିବା, ଶସ୍ତା ଗୃହ ନିର୍ମାଣକୁ ସହଜ କରିବା, ପୁନଃବିକାଶ ଯୋଜନା ମାଧ୍ୟମରେ ପୁରୁଣା ସହରୀ ଅଞ୍ଚଳର କାୟାକଳ୍ପ କରିବା ଏବଂ ବ୍ୟବସାୟିକ ସହଜତା ବୃଦ୍ଧି ପାଇଁ ବିଲ୍ଡିଂ ଅନୁମୋଦନ ବ୍ୟବସ୍ଥାରେ ସୁଧାର ଆଣିବାରେ ବୃତିଗତ ପ୍ଲାନରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।
ଏହି ମାନବ ସମ୍ବଳ ଅଭାବକୁ ଦୂର କରିବା ପାଇଁ ଆଇ.ଟି.ପି.ଆଇ. ରାଜ୍ୟର ବିଭିନ୍ନ ସହରୀ ଉନ୍ନୟନ ସଂସ୍ଥାନରେ ୪୭୦ ଜଣ ଟାଉନ୍ ପ୍ଲାନରଙ୍କୁ ସୁଚିନ୍ତିତ ଭାବେ ନିୟୋଜିତ କରିବାକୁ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବରେ ନଗର ଯୋଜନା ନିର୍ଦ୍ଦେଶାଳୟ, ବିକାଶ କର୍ତୃପକ୍ଷ, ପୌର ପ୍ରଶାସନ ନିର୍ଦ୍ଦେଶାଳୟ, ସୁଡା , ,ଊଟଊଇ ଏବଂ ସହରୀ ଭିତିଭୂମି ଓ ଆଂଚଳିକ ବିକାଶରେ ନିୟୋଜିତ ଅନ୍ୟାନ୍ୟ ପ୍ରମୁଖ ବିଭାଗ ତଥା ସରକାରୀ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା ସାମିଲ ରହିଛି।
ବୈଠକରେ ଓଡ଼ିଶାରେ ବୃଦ୍ଧି ପାଉଥିବା ଯୋଜନା ବୃତ୍ତିଧାରୀଙ୍କ ସଂଖ୍ୟା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ୨୦୧୫ ମସିହାରୁ ଓଡ଼ିଶା ପ୍ରଯୁକ୍ତିବିଦ୍ୟା ଓ ଗବେଷଣା ବିଶ୍ୱବିଦ୍ୟାଳୟରେ ବ୍ୟାଚେଲର୍ ଅଫ୍ ପ୍ଲାନିଂ ଏବଂ ମାଷ୍ଟର ଅଫ୍ ପ୍ଲାନିଂ ପାଠ୍ୟକ୍ରମ ଆରମ୍ଭ ହେବା ପରଠାରୁ ରାଜ୍ୟ ବହୁ ସଂଖ୍ୟାରେ ଯୋଗ୍ୟତାସମ୍ପନ୍ନ ପ୍ଲାନିଂ ଗ୍ରାଜୁଏଟ୍ ସୃଷ୍ଟି କରିଛି। ଏହା ବ୍ୟତୀତ ଆଇ.ଆଇ.ଟି , ସ୍କୁଲ୍ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର ଏବଂ ସେପ୍ଟ ବିଶ୍ୱବିଦ୍ୟାଳୟ ଭଳି ଦେଶର ପ୍ରମୁଖ ଜାତୀୟ ଶିକ୍ଷାନୁଷ୍ଠାନରୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଭାମାନେ ମଧ୍ୟ ଓଡ଼ିଶାର ସହରୀ ରୂପାନ୍ତରଣ କାର୍ଯ୍ୟସୂଚୀରେ ଅବଦାନ ଦେବା ପାଇଁ ଉପଲବ୍ଧ ଅଛନ୍ତି।
ଏହି ପ୍ରତିଭାମାନଙ୍କର ସଠିକ୍ ଉପଯୋଗ କରିବା ଏବଂ କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ‘ସମୃଦ୍ଧ ସହର’ କାର୍ଯ୍ୟକ୍ରମ ସହିତ ଅନ୍ୟାନ୍ୟ ପ୍ରମୁଖ ସହରୀ ବିକାଶ ଯୋଜନାଗୁଡ଼ିକୁ ସଫଳ କରିବା ପାଇଁ ପ୍ରମୁଖ ସହରୀ ସଂସ୍ଥାନଗୁଡ଼ିକରେ ତୁରନ୍ତ ‘ଅସିଷ୍ଟାଂଟ ଟାଉନ୍ ପ୍ଲାନର’ ନିଯୁକ୍ତି କରିବାକୁ ଆଇ.ଟି.ପି.ଆଇ. ସୁପାରିଶ କରିଛି। ଏହାସହ ଅନ୍ୟାନ୍ୟ ବୃତିଗତ ରାଜ୍ୟ ସେବା ଭଳି ଏକ ସ୍ୱତନ୍ତ୍ର ‘ଓଡ଼ିଶା ଟାଉନ୍ ପ୍ଲାନିଂ ସର୍ଭିସ୍’ କ୍ୟାଡର ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଛି ଏବଂ ପ୍ଲାନିଂ ବୃତିଧାରୀଙ୍କ ପାଇଁ ସମାନ ନିଯୁକ୍ତି ନିୟମ ଓ ସେବା ସର୍ତ୍ତାବଳୀ ପ୍ରସ୍ତୁତ କରିବାକୁ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ଆହ୍ୱାନ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା