
ଝାରସୁଗୁଡ଼ା, ୨ ଜୁନ୍ (ହି.ସ.)- ଝାରସୁଗୁଡା ଜିଲ୍ଲାର ଲଖନପୁର ଖୋଲାମୁହଁ କୋଇଲା ଖଣିରେ କାର୍ଯ୍ୟରତ ବିଭିନ୍ନ ଠିକା କମ୍ପାନୀ ବିରୋଧରେ ଶ୍ରମିକମାନେ ଶୋଷଣର ଅଭିଯୋଗ ଆଣିଛନ୍ତି। ଏହି ପ୍ରସଙ୍ଗରେ ମଙ୍ଗଳବାର ବନ୍ଧବାହାଲରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଲଖନପୁର ଖଣି କର୍ତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଶ୍ରମିକମାନଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ନିୟମାବଳୀ ଅନୁସାରେ ସେମାନଙ୍କୁ ଏଚପିସି ଅନୁଯାୟୀ ଦରମା ପ୍ରଦାନ କରାଯାଉ ନାହିଁ। ଯେଉଁଠାରେ ଶ୍ରମିକମାନଙ୍କ ମାସିକ ଦରମା ୩୦ ହଜାରରୁ ୪୫ ହଜାର ଟଙ୍କା ହେବା କଥା, ସେଠାରେ ସେମାନଙ୍କୁ ମାତ୍ର ୧୩ ହଜାରରୁ ୧୮ ହଜାର ଟଙ୍କା ଦିଆଯାଉଛି। ବାକି ଅର୍ଥ ହଡ଼ପ କରାଯାଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।
ଏହାଛଡ଼ା ଦୁଇ ବର୍ଷରୁ ଅଧିକ ସମୟ ଧରି କାମ କରୁଥିଲେ ମଧ୍ୟ ଅନେକ ଶ୍ରମିକଙ୍କୁ କମ୍ପାନୀ ପକ୍ଷରୁ ପରିଚୟପତ୍ର ପ୍ରଦାନ କରାଯାଇନାହିଁ। ମେଡିକାଲ କାର୍ଡ, ଭିଟି ଟ୍ରେନିଂ, ସିଏମ୍ପିଏଫ୍ ସୁବିଧା ଏବଂ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ପ୍ରଦାନ ଭଳି ଦାବିଗୁଡ଼ିକ ମଧ୍ୟ ଅଣଦେଖା କରାଯାଉଥିବା ସେମାନେ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ