
ଝାରସୁଗୁଡ଼ା, ୨ ଜୁନ୍ (ହି.ସ.)- ଝାରସୁଗୁଡ଼ା ସଦର ବ୍ଲକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ଏକ ସ୍ୱତନ୍ତ୍ର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇ ୬୮ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଚିତ୍ରାଣୀ ପଟେଲ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଲ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ଏହି ଅବସରରେ ବିଧାୟକ ଶ୍ରୀ ତ୍ରିପାଠୀ କହିଥିଲେ ଯେ, ରାଜ୍ୟ ସରକାର ଗରିବ ଓ ଅବହେଳିତ ବର୍ଗର ଲୋକଙ୍କ ସାମଗ୍ରିକ ଉନ୍ନତି ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହା ମାଧ୍ୟମରେ ଗୃହହୀନ ଓ ଅସହାୟ ପରିବାରମାନଙ୍କୁ ସୁରକ୍ଷିତ ଓ ସମ୍ମାନଜନକ ବାସସ୍ଥାନ ଯୋଗାଇ ଦିଆଯାଉଛି। ସରକାରଙ୍କ ଲୋକହିତକାରୀ ଯୋଜନାଗୁଡ଼ିକ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଦିଗରେ ସମସ୍ତଙ୍କ ମିଳିତ ପ୍ରୟାସ ଜାରି ରହିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ହିତାଧିକାରୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଜୀବନଧାରଣର ମାନ ବୃଦ୍ଧି ସମ୍ପର୍କରେ ମତବିନିମୟ କରିଥିଲେ। ସରକାରଙ୍କ ପକ୍ଷରୁ ମିଳୁଥିବା ସହାୟତାର ସଦୁପଯୋଗ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ବହୁ ସଂଖ୍ୟାରେ ହିତାଧିକାରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ