
ଭୁବନେଶ୍ୱର,୦୨ ଜୁନ (ହି.ସ)- ରାଜ୍ୟରେ ପୁଲିସ ପ୍ରଶାସନର ବର୍ବରତା ସବୁ ସୀମା ଟପି ସାରିଲାଣି। ଥାନା ଭିତରେ ନିର୍ଯାତନା ଏବଂ ହାଜତ ମୃତ୍ୟୁ ମାମଲା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଘଟୁଥିବା ହିଂସା ଘଟଣାରେ ପୀଡ଼ିତଙ୍କୁ ନ୍ୟାୟ ଦେବାରେ ପୁଲିସ ପ୍ରଶାସନ ବିଫଳ ହୋଇ ଥିବାବେଳେ ସାଧାରଣ ଲୋକଙ୍କୁ ହାଜତରେ ନିର୍ଯାତନା ଦେବା ନିନ୍ଦନୀୟ ବୋଲି ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ ଏବଂ ମୁଖପାତ୍ର ଡ. ମନିଷା ଦାସ ପଟ୍ଟନାୟକ କଂଗ୍ରେସ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି।
ରାଜ୍ୟରେ ଆଇଶୃଙ୍ଖଳା ସରକାରଙ୍କ ଆୟତ୍ତରେ ନାହିଁ । ଦିନକୁ ଦିନ ରାଜ୍ୟରେ ଅରାଜକତା, ହିଂସା, ହତ୍ୟା, ଧର୍ଷଣ, ସାଧାରଣ ଲୋକଙ୍କ ଉପରେ ନିର୍ଯ୍ୟାତନା, ପୋଲିସ ବର୍ବରତା ବଢି ଚାଲିଥିବା ନେଇ ଶ୍ରୀ ପ୍ରଧାନ ଉଦବେଗ ପ୍ରକାଶ କରିଥିଲେ । କବିସୂର୍ଯ୍ୟ ନଗରରେ ଘଟିଥିବା ହାଜତ ହତ୍ୟା ପାଇଁ ସରକାରଙ୍କ ଗୃହ ବିଭାଗ ଏବଂ ପୋଲିସର ଅପାରଗତା ଦାୟୀ ବୋଲି ସେ କହିଥିଲେ ଏବଂ ଉପଯୁକ୍ତ ତଦନ୍ତ ପାଇଁ ଦାବୀ କରିଥିଲେ । ସେହିପରି ମୁଖପାତ୍ର ଡ. ମନିଷା କହିଥିଲେ ପୁଲିସ ସାଧାରଣ ଲୋକଙ୍କୁ ଥାନାକୁ ଡକାଇ ଅକଥନୀୟ ନିର୍ଯାତନା ଦେଉଛି। ବାରଙ୍ଗ ଥାନାରେ ରାକେଶ ବେହେରାଙ୍କୁ ପୁଲିସ ଅଟକ ରଖି ନିର୍ଯାତନା ଦେବା ପରେ ସେ ଜୀବନ- ମରଣ ସହ ସଂଘର୍ଷ କରୁଛନ୍ତି। ରାଜନଗର ତାଳଚୁଆ ସାମୁଦ୍ରିକ ଥାନା ଭିତରେ ଆଇଆଇସି ଜଣେ ଗରିବ ମା' ଓ ପୁଅଙ୍କୁ ଅମାନୁଷିକ ଭାବେ ମାଡ଼ ମାରିଥିଲେ। ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନାରେ ଜଣେ ନିରୀହ ଭିନ୍ନକ୍ଷମ ଯୁବକଙ୍କୁ ଅକଥନୀୟ ନିର୍ଯାତନା ଦେଇ ହତ୍ୟା କରାଯାଇଛି। ଗତ ୨୦ ଦିନ ଭିତରେ ଗଞ୍ଜାମ ଜିଲାରେ ୧୦ଟି ହତ୍ୟାକାଣ୍ଡ ହେଲାଣି।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଂସଦରେ ଉପସ୍ଥାପନ କରିଥିବା ରିପୋର୍ଟ ଅନୁଯାୟୀ; ୨୦୨୫-୨୬ ବର୍ଷରେ ଓଡ଼ିଶାରେ ହାଜତ ମୃତ୍ୟୁ ସଂଖ୍ୟା ୧୦ରେ ପହଂଚିଛି।ଅନ୍ୟ ରାଜ୍ୟରେ ଏପରି ଘଟଣାରେ ପୋଲିସକୁ ଫାଶୀ ଦଣ୍ଡ ଦିଆଯାଉଥିଲା ବେଳେ ଓଡ଼ିଶାରେ ଅପରାଧୀ ପୋଲିସଙ୍କ ପାଇଁ ସରକାର ଏତେ ତତ୍ପର କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା