
ଜୟପୁର, ୨ ଜୁନ୍ (ହି.ସ.)- ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତି ଯୋଗୁଁ ତୈଳ ଓ ଗ୍ୟାସ ଯୋଗାଣ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଥିବା ବେଳେ କୋରାପୁଟ ଜିଲାରେ କିଛିଦିନ ଧରି ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ଦେଖାଯାଇଥିଲା । ତେବେ ବର୍ତ୍ତମାନ ଗ୍ୟାସ ଯୋଗାଣ ସ୍ୱାଭାବିକ ହୋଇଥିବା ସତ୍ତ୍ୱେ ଉପଭୋକ୍ତା ସମୟ ମଧ୍ୟରେ ଗ୍ୟାସ ପାଇ ପାରୁନଥିବା ଅଭିଯୋଗ ହେଉଛି ।
ସୂଚନା ଅନୁଯାୟୀ, ପରିବହନ ବ୍ୟାଘାତକୁ ଆଳ କରି କିଛି ଗ୍ୟାସ ଏଜେନ୍ସି କୃତ୍ରିମ ଅଭାବ ସୃଷ୍ଟି କରି କଳା ବଜାରୀରେ ଲିପ୍ତ ରହିଥିବା ଅଭିଯୋଗ ହୋଇଛି । କଳା ବଜାରୀରେ କିଛି ଦଲାଲ ସମ୍ପୃକ୍ତି ନେଇ ମଧ୍ୟ ଅଭିଯୋଗ ହେଉଛି । ଘରୋଇ ରନ୍ଧନ ଗ୍ୟାସ ବ୍ୟବସାୟିକ ପ୍ରତିଷ୍ଠାନରେ ବ୍ୟବହାର ହେଉଥିବାରୁ ସାଧାରଣ ଉପଭୋକ୍ତା ହଇରାଣ ହେଉଛନ୍ତି । ୨୦୧୬ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଉଜ୍ଜ୍ୱଳା ଯୋଜନାର ଉଦ୍ଦେଶ୍ୟ ଥିଲା ମହିଳାଙ୍କୁ ଚୁଲି ଧୂଆଁରୁ ମୁକ୍ତି ଦେବା। କିନ୍ତୁ ବର୍ତ୍ତମାନ ଏହି ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବସାୟିକ ପ୍ରତିଷ୍ଠାନରେ ବ୍ୟବହୃତ ହେଉଥିବାରୁ ଘରୋଇ ଉପଭୋକ୍ତା ନିୟମିତ ଯୋଗାଣ ପାଉନାହାନ୍ତି । ନିୟମ ଅନୁସାରେ ଗ୍ୟାସ ବୁକିଂର ୭୨ ଘଣ୍ଟା ମଧ୍ୟରେ ଉପଭୋକ୍ତାଙ୍କ ନିକଟରେ ସିଲିଣ୍ଡର ପହଞ୍ଚିବା କଥା କିନ୍ତୁ କୋରାପୁଟ ଜିଲା ଜୟପୁର, ସେମିଳିଗୁଡା, କୋରାପୁଟ ସହରରେ ଅନେକ ଉପଭୋକ୍ତାଙ୍କୁ ବୁକିଂର ୮ ଦିନ ପରେ ମଧ୍ୟ ଗ୍ୟାସ ମିଳୁନଥିବା ଅଭିଯୋଗ ହୋଇଛି । ଉପଭୋକ୍ତାଙ୍କ ସଚେତନତା ଅଭାବର ସୁଯୋଗ ନେଇ
ଅନିୟମିତତା କରୁଥିବା ଅଭିଯୋଗ ହେଉଛି । ଜିଲାର କେତେକ ସହରରେ ବେଆଇନ ଗ୍ୟାସ ଦଲାଲମାନେ ସକ୍ରିୟ ହୋଇଉଠିଛନ୍ତି । କିଛି ଦଲାଲ ଘରୋଇ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ସେହି ସିଲିଣ୍ଡରକୁ ପ୍ରାୟ ୩ ହଜାର ଟଙ୍କାରେ ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି । ଜିଲା ଯୋଗାଣ ବିଭାଗ ପକ୍ଷରୁ ହେଉଥିବା ଚଢ଼ଉ କେବଳ ଲୋକଦେଖାଣିଆ ବୋଲି ସାଧାରଣରେ ଅଭିଯୋଗ ହେଉଛି । ଗ୍ୟାସ ଯୋଗାଣ ଧୀରେ ଧୀରେ ସ୍ୱାଭାବିକ ହେଉଥିବା ବେଳେ ଆଗାମୀ କିଛି ଦିନ ମଧ୍ୟରେ ବୁକିଂର ୭୨ ଘଣ୍ଟା ମଧ୍ୟରେ ଉପଭୋକ୍ତାଙ୍କୁ ଗ୍ୟାସ ମିଳିବ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି