
ପୁରୀ, ୨ ଜୁନ୍ (ହି.ସ.)- ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ପୁରୀ ଜିଲ୍ଲାର ୫୪ ଗୋଟି ମଦ ଦୋକାନ ନିଲାମ ପାଇଁ ନିଲାମ ପ୍ରକ୍ରିୟା ଟାଉନହଲ ଠାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏଥିରେ ଉପସ୍ଥିତ ରହି ନିଲାମ ପ୍ରକ୍ରିୟା କୁ ଅନୁଧ୍ୟାନ କରିଥିଲେ।ପରେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଙ୍କ ଅଧ୍ୟକ୍ଷତାରେ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ମୋଟ ୫୪ଟି ମଦ ଦୋକାନ ପାଇଁ ୧୭୯୧ ଜଣ ଆବେଦନ କରିଥିଲେ। ଏଥିରେ ଵିଦେଶୀ ମଦ ଦୋକାନ ୩୬ ଗୋଟି ପାଇଁ ୧୨୫୮ ଗୋଟି ଆବେଦନ ମିଳିଥିବା ବେଳେ ଓ ଦେଶୀ ମଦ ଦୋକାନ ୧୮ ଗୋଟି ପାଇଁ ୫୩୩ ଜଣ ଆବେଦନ କରିଥିଲେ। ଏହାକୁ ଲଟେରୀ ମାଧ୍ୟମରେ ଚୟନ କରାଯାଇଥିଲା। ଆବେଦନକାରୀଙ୍କ ଉପସ୍ଥିତିରେ ଟୋକନ ଗୁଡିକୁ ଏକ ଡବାରେ ପକାଯାଇ ଘଣ୍ଟା ଘଣ୍ଟି କରାଯାଇ ଅତିରିକ୍ତ ଜିଲ୍ଲାପାଳ ଆଖିରେ କଳା ପଟି ବାନ୍ଧି ଏହି ଡବାରୁ ଗୋଟିଏ ଗୋଟିଏ ଟୋକନ ଉଠାଇ ଲଟେରୀ ବିଜେତାଙ୍କ କ୍ରମିକ ସଂଖ୍ୟାକୁ ଘୋଷଣା କରିଥିଲେ। ପରେ ସେହି କ୍ରମିକ ସଂଖ୍ୟାର ନାମ ଧାରୀଙ୍କୁ ସଂପୃକ୍ତ ମଦ ଦୋକାନର ବିଜେତା ବୋଲି ଘୋଷଣା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ ରାଜ କିଶୋର ଜେନା, ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ର ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ବିଶ୍ବନାଥ ପଣ୍ଡା,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,
ଅତିରିକ୍ତ ସୂଚନା ବିଜ୍ଞାନ ଅଧିକାରୀ ଦୁର୍ଗା ପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ। ଅବକାରୀ ଅଧୀକ୍ଷକ ଜଗଦୀଶ ସାମଲ ଓ ଅବକାରୀ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ କର୍ମଚାରୀ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ବିଜୟ