
ମୁମ୍ବାଇ, ୨୦ ଜୁନ୍ (ହିସ) ଶନିବାର ଦିନ ମହାରାଷ୍ଟ୍ରର ରତ୍ନଗିରିର ଗଣପତିପୁଲେ ବେଳାଭୂମିକୁ ଯାଇଥିବା ସମ୍ଭାଜିନଗରର ଆଠ ଜଣଙ୍କ ମଧ୍ୟରୁ ପାଂଚ ଜଣ ସମୁଦ୍ରରେ ନିଖୋଜ ହୋଇଯାଇଛନ୍ତି। ତିନି ଜଣଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି। ରତ୍ନଗିରି ପୋଲିସ ଏବଂ ବୁଡ଼ାଳିଙ୍କ ଏକ ଦଳ ନିଖୋଜ ପାଂଚ ଜଣଙ୍କୁ ଖୋଜିବା ପାଇଁ ଘଟଣାସ୍ଥଳରେ ପହଂଚିଛନ୍ତି।
ଘଟଣାର ତଦନ୍ତ କରୁଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଆଜି ସକାଳେ ଛତ୍ରପତି ସମ୍ଭାଜିନଗରର କିଛି ପର୍ଯ୍ୟଟକ ଗଣପତିପୁଲେ ଆସିଥିଲେ। ସେମାନଙ୍କ ମଧ୍ୟରୁ ଆଠ ଜଣ ସମୁଦ୍ର ଭିତରକୁ ଚାଲିଗଲେ। ହଠାତ୍ ଲହରୀ ଏବଂ ସମୁଦ୍ର ପାଣିରେ ହଠାତ୍ ପରିବର୍ତନ ସେମାନଙ୍କୁ ସମସ୍ତଙ୍କୁ ଭସାଇ ନେଇଗଲା। ପର୍ଯ୍ୟଟକମାନେ ବୁଡ଼ି ଯାଉଥିବା ଜାଣିବା ମାତ୍ରେ ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ସାହାଯ୍ୟ ପାଇଁ ଦୌଡ଼ିଗଲେ। ଆଠ ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ତିନି ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା। ତଥାପି, ବାକି ପାଂଚ ଜଣ ଏବେ ବି ନିଖୋଜ ଅଛନ୍ତି। ପୋଲିସ ଏବଂ ଆଂଚଳିକ ପ୍ରଶାସନ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚିଛନ୍ତି, ଏବଂ ଏକ ସନ୍ଧାନ ଅଭିଯାନ ଜାରି ରହିଛି। ଏହି ଦୁର୍ଘଟଣା ଗଣପତିପୁଲେ ଅଂଚଳରେ ଆତଙ୍କ ସୃଷ୍ଟି କରିଛି ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ସ୍ଥାନୀୟ ମତ୍ସ୍ୟଜୀବୀ, ଜୀବନରକ୍ଷକ ଏବଂ ପ୍ରଶାସନ ନିଖୋଜ ପାଂଚ ଜଣ ପର୍ଯ୍ୟଟକଙ୍କୁ ଖୋଜିବା ପାଇଁ ଯୁଦ୍ଧ ଭଳି ସନ୍ଧାନ ଅଭିଯାନ ଚଳାଇଛନ୍ତି। ଏପର୍ଯ୍ୟନ୍ତ କାହାକୁ ପାଇନାହାଁନ୍ତି, କିନ୍ତୁ ସନ୍ଧାନ ଦ୍ରୁତ ଗତିରେ ଚାଲିଛି।
-------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ