
ମାଲଦା, ୨୦ ଜୁନ୍(ହି.ସ.) – ଶନିବାର ସକାଳେ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ବୈଷ୍ଣବନଗରର ସୁଖଦେବପୁରରେ ଭାରତ-ବାଂଲାଦେଶ ସୀମାରେ ଉତେଜନା ଦେଖାଦେଇଥିଲା ଯେତେବେଳେ ଅଭିଯୁକ୍ତ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ପଛକୁ ଠେଲିବା ପ୍ରକ୍ରିୟା ସମୟରେ ପରିସ୍ଥିତି ଖରାପ ହୋଇଯାଇଥିଲା।
ସୂତ୍ର ଅନୁଯାୟୀ, ଗିରଫ ହୋଇଥିବା ଅନୁପ୍ରବେଶକାରୀଙ୍କୁ ଶୁକ୍ରବାର ରାତିରେ ସୀମା ଦେଇ ବାଂଲାଦେଶ ପଠାଯାଇଥିଲା। କିନ୍ତୁ ସେଠାକାର ବର୍ଡର ଗାର୍ଡ ବାଂଲାଦେଶ(ବିଜିବି) ସେମାନଙ୍କୁ ନିଜ ଅଂଚଳରେ ପ୍ରବେଶ କରିବାକୁ ଦେଇନଥିଲା।
ଏହାପରେ ବହୁ ସଂଖ୍ୟକ ଲୋକ ସୀମା ପାର କରି ଏକାଠି ହୋଇଥିଲେ ଏବଂ ପୁଣିଥରେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେମାନେ ଭାରତୀୟ ସୀମା ସୁରକ୍ଷା ବାହିନୀ(ବି.ଏସ୍.ଏଫ୍.) କର୍ମଚାରୀଙ୍କ ଉପରେ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବି.ଏସ୍.ଏଫ୍. କଡ଼ା ପଦକ୍ଷେପ ନେଇଥିଲା।
କୁହାଯାଉଛି ଯେ ଏହି ଅଂଚଳରେ ସୀମାର ପ୍ରାୟ ୧୨୦୦ ମିଟର ଏବେ ମଧ୍ୟ କଂଟା ତାର(ବାଡ଼) ବିନା ଅଛି, ଯାହାର ଫାଇଦା ଉଠାଇ ବାରମ୍ବାର ଅନୁପ୍ରବେଶ ଏବଂ ଜମି ଜବରଦଖଲ ଅଭିଯୋଗ ଆସିଛି।
ସ୍ଥାନୀୟ ବିଧାୟକ ରାଜୁ କର୍ମାକର କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଅନୁପ୍ରବେଶକାରୀଙ୍କୁ ଫେରାଇ ଦିଆଯାଉଛି, କିନ୍ତୁ ବାଂଲାଦେଶ ଏହାର ନାଗରିକମାନଙ୍କୁ ଗ୍ରହଣ କରୁନାହିଁ। ଏକ ଉତେଜନାପୂର୍ଣ୍ଣ ଦିନ ପରେ, ସନ୍ଧ୍ୟାରେ ପରିସ୍ଥିତି କିଛି ମାତ୍ରାରେ ସ୍ୱାଭାବିକ ଅବସ୍ଥାକୁ ଫେରିଛି, କିନ୍ତୁ ଉକ୍ତ ଅଂଚଳରେ ଏବେବି ସତର୍କତା ଅବଲମ୍ବନ କରାଯାଉଛି। ବି.ଏସ୍.ଏଫ୍. ଏବଂ ସ୍ଥାନୀୟ ପ୍ରଶାସନ ସମଗ୍ର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ସୀମାନ୍ତ ଅଂଚଳରେ ହାଇ ଆଲର୍ଟ ଜାରି କରାଯାଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି