ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀମାନଙ୍କ ସହ ଯୋଗାଭ୍ୟାସ କଲେ କେନ୍ଦ୍ରମନ୍ତ୍ରୀ
ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବା- ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ, ୨୧ ଜୁନ୍‌(ହି.ସ.) - ‘ଯୋଗ’ ହେଉଛି ଶରୀର, ମନ ଏବଂ ଆତ୍ମା ମଧ୍ୟରେ ସମନ୍ୱୟ ରକ୍ଷା କରିବାର ଏକ ଶ୍ରେଷ୍ଠ ମାଧ୍ୟମ, ଯାହା ଆମକୁ ନିରନ୍ତର ଏକ ସୁସ୍ଥ ଜୀବନ ଦିଗରେ ଅଗ୍ରସର କରାଇଥାଏ । ଏହା କେବଳ ଏକ ଶାରୀରିକ ଅଭ୍ୟାସ ନୁହେଁ, ବ
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀମାନଙ୍କ ସହ ଯୋଗାଭ୍ୟାସ କଲେ କେନ୍ଦ୍ରମନ୍ତ୍ରୀ


ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବା- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ୨୧ ଜୁନ୍‌(ହି.ସ.) - ‘ଯୋଗ’ ହେଉଛି ଶରୀର, ମନ ଏବଂ ଆତ୍ମା ମଧ୍ୟରେ ସମନ୍ୱୟ ରକ୍ଷା କରିବାର ଏକ ଶ୍ରେଷ୍ଠ ମାଧ୍ୟମ, ଯାହା ଆମକୁ ନିରନ୍ତର ଏକ ସୁସ୍ଥ ଜୀବନ ଦିଗରେ ଅଗ୍ରସର କରାଇଥାଏ । ଏହା କେବଳ ଏକ ଶାରୀରିକ ଅଭ୍ୟାସ ନୁହେଁ, ବରଂ ସନ୍ତୁଳିତ ଜୀବନଶୈଳୀ ଓ ସକାରାତ୍ମକ ଚିନ୍ତାଧାରାର ଏକ ସାଧନା । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ‘ଆନ୍ତର୍ଜାତୀୟ ଯୋଗ ଦିବସ’ ପାଳନ କରିବା ଅବସରରେ ଯୋଗକୁ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ଆହ୍ୱାନ ଦେଇଛନ୍ତି ।

ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଉଥ୍ କ୍ୟାମ୍ପସ ଠାରେ ଶିକ୍ଷକ, ଛାତ୍ରଛାତ୍ରୀମାନଙ୍କ ସହ ଯୋଗାଭ୍ୟାସ କରିବା ଅବସରରେ ଓଡ଼ିଶା ସମେତ ସମସ୍ତ ଦେଶବାସୀଙ୍କୁ ଆନ୍ତର୍ଜାତୀୟ ଯୋଗ ଦିବସର ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅକ୍ଳାନ୍ତ ପ୍ରୟାସ ଯୋଗୁଁ ଆଜି ଯୋଗ ବିଶ୍ୱ ସ୍ତରରେ ଭାରତର ସାଂସ୍କୃତିକ ଚିହ୍ନଟ ଏବଂ ସୁସ୍ଥ ଜୀବନଶୈଳୀର ପ୍ରତୀକ ଭାବେ ପ୍ରତିଷ୍ଠିତ ହୋଇପାରିଛି। ବିଶ୍ୱ ସମ୍ମୁଖୀନ ହେଉଥିବା ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଭାରତୀୟ ସଭ୍ୟତାର ଏହି ମହାନ ବିଜ୍ଞାନ ମଧ୍ୟରେ ରହିଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଯୋଗକୁ କେବଳ ଗୋଟିଏ ଦିନରେ ସୀମିତ ନରଖି, ବର୍ଷର ୩୬୫ ଦିନ ନିଜ ଜୀବନରେ ସାମିଲ କରିବାର ସଙ୍କଳ୍ପ ନେବା ଆବଶ୍ୟକ । ବିଶେଷ କରି ଭାରତର ଯୁବପିଢ଼ି ଓ ଛାତ୍ରଛାତ୍ରୀମାନେ ଯଦି ନିୟମିତ ଯୋଗ କରିବେ, ତେବେ ଆମେ ସୁସ୍ଥ ରହିବା ସହ ବିଶ୍ୱର ସେବା କରିବାକୁ ସମର୍ଥ ହେବା ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ସେମାନଙ୍କର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଚଳିତ ବର୍ଷ କ୍ୟୁଏସ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାୀଙ୍କିଙ୍ଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ୬ଟି ସ୍ଥାନ ଉପରକୁ ଉଠି ୩୨୨ତମ ମାର୍କ ଅତିକ୍ରମ କରିଛି। ଏହା ସହ ସେ ଆଶା ପ୍ରକଟ କରିଛନ୍ତି ଯେ, ଆଗାମୀ ବର୍ଷଗୁଡ଼ିକରେ ଦେଶର ୫୪ଟି ପ୍ରମୁଖ ଶିକ୍ଷାନୁଷ୍ଠାନ ସମେତ ଅନେକ ଭାରତୀୟ ଅନୁଷ୍ଠାନ କ୍ୟୁଏସ୍ ର‌୍ୟା ଙ୍କିଙ୍ଗରେ ଉଚ୍ଚ ସ୍ଥାନ ହାସଲ କରିବେ । ସେ ଦେଶର ଶିକ୍ଷା ଜଗତ, ଗବେଷକ ଓ ଛାତ୍ର ସମୁଦାୟକୁ ସେମାନଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ଶୁଭକାମନା ଜଣାଇଛନ୍ତି । ପରିଶେଷରେ, ଏକ ସୁସ୍ଥ, ଶାନ୍ତ ଏବଂ ସଶକ୍ତ ସମାଜ ଗଠନ ଦିଗରେ ସମସ୍ତେ ମିଳିତ ଭାବେ ସଙ୍କଳ୍ପବଦ୍ଧ ହେବାକୁ ସର୍ବସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande