
ଇନ୍ଦୋର, ୨୧ ଜୁନ୍ (ହି.ସ.)- ରବିବାର ଦିନ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶର ସବୁଠାରୁ ସ୍ୱଚ୍ଛ ସହର ଇନ୍ଦୋର ଯୋଗ ପ୍ରତି ନିଜର ସଚେତନତା ଏବଂ ପ୍ରତିବଦ୍ଧତାର ଏକ ଅନନ୍ୟ ପରିଚୟ ପ୍ରଦାନ କରିଛି । ମଧ୍ୟପ୍ରଦେଶର ଏହି ସହରର ଗୋପୁର ଛକଠାରେ ଆୟୋଜିତ ବିଶାଳ ସାମୂହିକ ଯୋଗ କାର୍ଯ୍ୟକ୍ରମରେ ହଜାର ହଜାର ଯୋଗ ଅଭ୍ୟାସକାରୀ ଅଂଶଗ୍ରହଣ କରିଥିଲେ ଏବଂ ଏଠାକାର ପ୍ରତ୍ୟେକ ଘରକୁ ସୁସ୍ଥ ଜୀବନର ବାର୍ତା ପ୍ରଦାନ କରିଥିଲେ । ଏହା ସହିତ ଏଠାରେ ଏକକାଳୀନ ଭ୍ରାମରୀ ପ୍ରାଣାୟାମ କରି ଏକ ଅନନ୍ୟ ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରାଯାଇଥିଲା ।
ଇନ୍ଦୋର ମହାନଗର ନିଗମ ଦ୍ୱାରା ପରିଚାଳିତ ଯୋଗମିତ୍ର ଅଭିଯାନ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରାଚଂଳ ପ୍ରଶାସନ ମନ୍ତ୍ରୀ କୈଳାଶ ବିଜୟବର୍ଗୀୟ, ମନ୍ତ୍ରୀ ଦୁର୍ଗାଦାସ ଉଇକେ, ମେୟର ପୁଶ୍ୟମିତ୍ର ଭାର୍ଗବଙ୍କ ସମେତ ଅନେକ ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଚଳିତ ବର୍ଷର ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ଥିଲା ସୁସ୍ଥ ଜୀବନ ପାଇଁ ଯୋଗ, ଯେଉଁଥିରେ ଯୋଗକୁ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ଏହି କାର୍ଯ୍ୟକ୍ରମର ସବୁଠାରୁ ବଡ଼ ଆକର୍ଷଣ ଥିଲା ୧୦ ହଜାରରୁ ଅଧିକ ଯୋଗ ଅଭ୍ୟାସକାରୀଙ୍କ ଦ୍ୱାରା ମିଳିତ ଭାବେ କରାଯାଇଥିବା ସାମୂହିକ ଭ୍ରାମରୀ ପ୍ରାଣାୟାମ । ଅଂଶଗ୍ରହଣକାରୀମାନେ ତିନି ମିନିଟ୍ରୁ ଅଧିକ ସମୟ ଧରି କ୍ରମାଗତ ଭାବେ ଭ୍ରାମରୀ ପ୍ରାଣାୟାମ କରି ଏକ ନୂଆ ରେକର୍ଡ ସୃଷ୍ଟି କରିବାକୁ ପ୍ରୟାସ କରିଥିଲେ । ଆୟୋଜକଙ୍କ କହିବା ଅନୁଯାୟୀ, ବିଶ୍ୱ ରେକର୍ଡ ସୃଷ୍ଟି କରିବା ଦିଗରେ ଏହି ପ୍ରୟାସ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଯୋଗ ଅଭ୍ୟାସକାରୀଙ୍କ ଶୃଙ୍ଖଳା ଏବଂ ଉତ୍ସାହ ସମଗ୍ର କାର୍ଯ୍ୟକ୍ରମ ସମୟରେ ଦେଖିବା ଯୋଗ୍ୟ ଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ