
ନୂଆଦିଲ୍ଲୀ, ଜୁନ ୨୨ (ହି.ସ.) - ବକ୍ସିଂ ଇତିହାସରେ ପ୍ରଥମ ଥର ପାଇଁ ପ୍ରୋ ବକ୍ସିଂ ଲିଗ୍ (ପିବିଏଲ) ତାଲକଟୋରା ଇଣ୍ଡୋର ଷ୍ଟାଡିୟମରେ ଜୁଲାଇ ୬ ରୁ ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଲିଗ୍ ପାଇଁ ଖେଳାଳି ଚୟନ ପ୍ରକ୍ରିୟା ସମାପ୍ତ ହୋଇଛି, ଚାରୋଟି ଫ୍ରାଚାଇଜ୍ ଦଳ ମୋଟ ୩୨ ଜଣ ବକ୍ସରଙ୍କୁ ଚୟନ କରିଛନ୍ତି।
ଖେଳାଳି ଚୟନ ସମୟରେ କୋମଲପ୍ରୀତ କୌର ସର୍ବାଧିକ ସ୍କୋର କରିଥିବା ବକ୍ସର ଥିଲେ। ସେ ମଧ୍ୟପ୍ରଦେଶ ମହାଯୁଧ ଦଳ ଦ୍ୱାରା ୨୮ ଲକ୍ଷ ପଏଂଟ ସହ ଚୁକ୍ତିବଦ୍ଧ ହୋଇଥିଲେ। ଏହି ଲିଗ୍ରେ ଖେଳାଳିମାନଙ୍କୁ ପାରମ୍ପରିକ ନିଲାମ ପରିବର୍ତେ ସେମାନଙ୍କ ପ୍ରଦର୍ଶନ ଆଧାରରେ ଏକ ପଏଂଟ ସିଷ୍ଟମ ମାଧ୍ୟମରେ ଚୟନ କରାଯାଇଥିଲା।
ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଇଣ୍ଡିଆନ୍ ଆମେଚର୍ ବକ୍ସିଂ ଫେଡେରେସନ୍ (ଆଇ. ଏ. ବି. ଏଫ୍.) ର ଜାତୀୟ ସଭାପତି ଡକ୍ଟର ରାକେଶ ମିଶ୍ର ସୂଚନା ଦେଇଛନ୍ତି ଯେ ଖେଳାଳି ଚୟନ ପାଇଁ ଗତ ଏକ ବର୍ଷ ମଧ୍ୟରେ ବିଭିନ୍ନ ଜାତୀୟ ଏବଂ ଆଂଚଳିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଟୁର୍ଣ୍ଣାମେଂଟ ଗୁଡ଼ିକରେ ଖେଳାଳିଙ୍କ ପ୍ରଦର୍ଶନକୁ ମୂଲ୍ୟାଙ୍କନ କରାଯାଇ ଲିଗ୍ ପାଇଁ ଚୟନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ