
ଝାରସୁଗୁଡ଼ା, 24 ଜୁନ୍ (ହି.ସ.)
ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମାସିକ ପାନୀୟ ଜଳ ଓ ପରିମଳ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଚାଲୁ ରହିଥିବା ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଏବଂ ଆଗାମୀ ମୌସୁମୀ ଋତୁ ପାଇଁ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ସମସ୍ତ ବିଭାଗୀୟ କାର୍ଯ୍ୟକୁ ସମୟସୀମା ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ମେଗା ପିଡବ୍ଲ୍ୟୁଏସ୍ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି, ଜଳାଭାବ ଦେଖାଦେଇଥିବା ଅଞ୍ଚଳରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ଏବଂ ‘ବସୁଧା’ ଯୋଜନା ଅଧୀନରେ ଆସିଥିବା ଅଭିଯୋଗଗୁଡ଼ିକର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହା ସହିତ ନୂତନ ନଳକୂପ ସ୍ଥାପନ ଏବଂ ବର୍ଷା ଦିନ ପୂର୍ବରୁ ସମସ୍ତ ନଳକୂପ ଓ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ବିଶୋଧନ କାର୍ଯ୍ୟକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଛି, ଯେପରି ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ।
ଏହା ବ୍ୟତୀତ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ରାସ୍ତା କାମ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପାଇପ୍ଲାଇନ୍ଗୁଡ଼ିକର ସମସ୍ୟା ବାବଦରେ ମଧ୍ୟ ବୈଠକରେ ସମୀକ୍ଷା କରାଯାଇଥିଲା। ସମସ୍ତ ସମସ୍ୟାର ସମାଧାନ କରି ଆସନ୍ତା ଦିନରେ ନିରବଚ୍ଛିନ୍ନ ଜଳ ଯୋଗାଣ ସୂଚାରୁରୂପେ ବଜାୟ ରଖିବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ