
୨.୮୮ ଲକ୍ଷ ଏସଏଚଜିଙ୍କୁ ୧୪୭ କୋଟି ଟଙ୍କା ସୁଧ ଫେରସ୍ତ
ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶାରେ ୨୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଭୁବନେଶ୍ୱର, ୨୪ ଜୁନ୍ (ହି.ସ.)- ମିଶନ ଶକ୍ତି ବିଭାଗ ପକ୍ଷରୁ ବୁଧବାର ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନରେ ରାଜ୍ୟସ୍ତରୀୟ ‘ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ’ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟର ୩୦ଟି ଜିଲ୍ଲାରୁ ପ୍ରାୟ ୩୩୦ ଜଣ ଜିଲ୍ଲାସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟାମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମହୋଦୟାଙ୍କ କରକମଳରେ ୨,୮୮,୧୯୮ ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୪୭.୭୬ କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଛି।
ଏହି ସ୍ୱତନ୍ତ୍ର ଉତ୍ସବ ଅବସରରେ ୨୬ଟି ଜିଲ୍ଲାର ୨୩,୫୩୬ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୪୫.୭୧ କୋଟି ଟଙ୍କାର ଆବର୍ତନ ପାଣ୍ଠି ପ୍ରଦାନ କରାଯାଇଛି, ଯେଉଁଥିରେ ଖୋର୍ଦ୍ଧାର ମା ମଙ୍ଗଳା ଓ ଶ୍ରୀରାମ ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ଯଥାକ୍ରମେ ୩୦,୦୦୦ ଟଙ୍କାର ଚେକ୍ ମାନ୍ୟବର ମନ୍ତ୍ରୀଙ୍କ କରକମଳରୁ ସାକ୍ଷାତ ଭାବେ ଗ୍ରହଣ କରିଛନ୍ତି।
ଗ୍ରାମାଂଚଳର ମହିଳାମାନଙ୍କୁ ସଂଗଠିତ କରିବା ପାଇଁ ୨୭ଟି ଜିଲ୍ଲାର ୬୨୪ଟି ଗ୍ରାମପଂଚାୟତ ସ୍ତରୀୟ ମହାସଂଘ ୧୮୯.୫୭ କୋଟି ଟଙ୍କାର ଗୋଷ୍ଠୀ ବିନିଯୋଗ ପାଣ୍ଠି ପ୍ରଦାନ କରାଯାଇଛି, ଯେଉଁଥିରେ ପୁରୀର ଅଭୟମୁଖୀ ଓ ଗୁଆଳିପଡା ଗ୍ରାମପଂଚାୟତସ୍ତରୀୟ ସଂଘର ମା’ମାନେ ଯଥାକ୍ରମେ ୩୫ ଲକ୍ଷ ଟଙ୍କାର ଚେକ୍ ସିଧାସଳଖ ଭାବରେ ପାଇଛନ୍ତି।
ଏହା ବ୍ୟତୀତ, ୧୫ଟି ଜିଲ୍ଲାର ୬୫୬ଟି ଆଂଚଳିକ ମହାସଂଘ କୁ ୯.୬୪ କୋଟି ଟଙ୍କାର ନିରାପତା ପାଣ୍ଠି ମଧ୍ୟ ପ୍ରଦାନ କରାଯାଇଛି, ଯେଉଁଥିରେ ଯାଜପୁରର ରାମପୁର ଓ ଜହ୍ନା ଆଂଚଳିକ ମଂଚର ମା’ମାନେ ଯଥାକ୍ରମେ ୧.୫୦ ଲକ୍ଷ ଟଙ୍କାର ଚେକ୍ ନିରାପତା ପାଣ୍ଠି ବାବଦକୁ ପ୍ରତ୍ୟକ୍ଷ ଭାବରେ ଗ୍ରହଣ କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ସମ୍ମିଳନୀର ଉଦ୍ଘାଟନ କରି କହିଥିଲେ ଯେ, ଓଡ଼ିଶା ସରକାର ୨୦୩୬ ସୁଦ୍ଧା ରାଜ୍ୟକୁ ଏକ ସମୃଦ୍ଧ ଓ ବିକଶିତ ଅର୍ଥନୀତିରେ ପରିଣତ କରିବାର ସଂକଳ୍ପ ନେଇଛନ୍ତି, ଯେଉଁଥିରେ ମହିଳାମାନେ ପରିବର୍ତନର ପ୍ରମୁଖ ବାହକ ଅଟନ୍ତି। ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଆତ୍ମନିର୍ଭରଶୀଳ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ହୋଇଥିବା ବେଳେ, ରାଜ୍ୟ ସରକାର ନିର୍ଦ୍ଧାରିତ ସମୟର ୧ ବର୍ଷ ପୂର୍ବରୁ ହିଁ ୨୫ ଲକ୍ଷର ମାଇଲଖୁଂଟ ଅତିକ୍ରମ କରି ବର୍ତମାନ ଲକ୍ଷପତି ଦିଦିଙ୍କ ସଂଖ୍ୟାକୁ ୨୬,୩୯,୯୦୯ରେ ପହଂଚାଇ ପାରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।
ଏହି ସମ୍ମିଳନୀରେ ଓଡ଼ିଶା ଭିଜନ–୨୦୩୬ରେ ମହିଳାଙ୍କ ଭୂମିକା, ଲକ୍ଷପତି ଦିଦି, ମହାଲକ୍ଷପତି ଦିଦି ଓ କୋଟିପତି ଦିଦି ସୃଷ୍ଟି, ମହିଳା-ନେତୃତ୍ୱାଧୀନ ଉଦ୍ୟୋଗ, ପ୍ରଡ୍ୟୁସର ଗ୍ରୁପ୍ ଓ ପ୍ରଡ୍ୟୁସର କମ୍ପାନୀର ପ୍ରୋତ୍ସାହନ, ବଜାର ସଂଯୋଗ, ଆର୍ôଥକ ସହାୟତା ଏବଂ ବିଭିନ୍ନ ଜିଲ୍ଲାର ସଫଳ ଉଦ୍ୟୋଗର ଅନୁଭୂତି ବିନିମୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଏହାସହିତ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ପାଇଁ ମହିଳା-ନେତୃତ୍ୱାଧୀନ ବିକାଶକୁ ତ୍ୱରାନ୍ୱିତ କରିବା ନିମନ୍ତେ ମିଶନ ଶକ୍ତି ବିଭାଗର ଆଗାମୀ କାର୍ଯ୍ୟଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରାଯିବା ସହ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବା ସମସ୍ତ ଜିଲ୍ଲାର ଡିଏଲଏଫ୍ ର କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟାମାନଙ୍କ ସହିତ ମଧ୍ୟ ସକାରାତ୍ମକ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ମାନସୀ ନିମ୍ଭାଲ, ନିର୍ଦ୍ଦେଶିକା ଡଃ ମୋନିକା ପ୍ରିୟଦର୍ଶିନୀ,ଜିଏମ୍ ଆଣ୍ଡ କନଭେନର ,ଏସଏଲବିସି ଓଡ଼ିଶା ପ୍ରଣବ କୁମାର ବିଶ୍ୱାସଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ ସଦସ୍ୟା, ବ୍ୟାଙ୍କ ଓ ସହଯୋଗୀ ସଂସ୍ଥାର ପ୍ରତିନିଧିମାନେ,ଆଭାଷୀ ମାଧ୍ୟମରେ ଜିଲ୍ଲାର ସମସ୍ତ ଅଧିକାରୀ ଓ ମା ମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା