
କାଠମାଣ୍ଡୁ, ୧୭ ଜୁଲାଇ (ହି.ସ.)- ନେପାଳ ଓ ଭାରତ ଅତିରିକ୍ତ ଦ୍ୱିପାକ୍ଷିକ ବିମାନ ପ୍ରବେଶ ମାର୍ଗ ଉପରେ ଆଲୋଚନା ପୁନର୍ବାର ଆରମ୍ଭ କରିବାକୁ ସହମତ ହୋଇଛନ୍ତି । ପ୍ରାୟ ଏକ ଦଶନ୍ଧି ପରେ ପୋଖରା ଏବଂ ଭୈରହାୱାରେ ନେପାଳର ଦୁଇଟି ନୂତନ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଯ୍ୟକ୍ଷମ କରିବା ପାଇଁ ଏହି ଆଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଅତିରିକ୍ତ ବିମାନ ପ୍ରବେଶ ମାର୍ଗ ଦୀର୍ଘ ଦିନ ଧରି ନେପାଳର ଏକ ପ୍ରମୁଖ ଦାବି ହୋଇ ରହିଛି, କାରଣ ବର୍ତମାନ ପ୍ରାୟ ୯୦ ପ୍ରତିଶତ ଅନ୍ତର୍ଜାତୀୟ ବିମାନ ସିମ୍ରା ଉପରେ ଗୋଟିଏ ଜନଗହଳିପୂର୍ଣ୍ଣ ପ୍ରବେଶ ସ୍ଥାନ(ଏଂଟ୍ରି ପଏଂଟ)ରୁ ଦେଶରେ ପ୍ରବେଶ କରୁଛି । ଭାରତ ନେପାଳର ପଶ୍ଚିମ ଏବଂ ପୂର୍ବ କରିଡରରୁ ସିଧାସଳଖ, କମ୍ ଉଚ୍ଚତା ବିଶିଷ୍ଟ ପ୍ରବେଶ ମାର୍ଗ ଏପର୍ଯ୍ୟନ୍ତ ପ୍ରଦାନ କରିନାହିଁ । ଭାରତ ଏଥିପାଇଁ ଗୋରଖପୁର ଏୟାରବେସ୍ ସମେତ ସମ୍ବେଦନଶୀଳ ସାମରିକ ପ୍ରତିଷ୍ଠାନ ସହିତ ଜଡ଼ିତ ସୁରକ୍ଷା ଚିନ୍ତା ସହିତ ବିମାନ ଟ୍ରାଫିକ୍ ପରିଚାଳନାର ଜଟିଳତାକୁ ଦର୍ଶାଇଛି ।
ଉଭୟ ଦେଶର ବରିଷ୍ଠ ଅଧିକାରୀମାନେ ଅଗଷ୍ଟରେ ଅତିରିକ୍ତ ସୀମା-ପାର ବିମାନ ପ୍ରବେଶ ମାର୍ଗ ବିଷୟରେ ଆଲୋଚନା କରିବା ପାଇଁ ଭେଟିବେ ବୋଲି ଆଶା କରାଯାଉଛି । ତେବେ ବୈଠକର ତାରିଖ ଏବଂ ସ୍ଥାନ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।
ଗୁରୁବାର କାଠମାଣ୍ଡୁରେ ନେପାଳର ବୈଦେଶିକ ମନ୍ତ୍ରୀ ଶିଶିର ଖନଲ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମନୁ ମହାୱରଙ୍କ ମଧ୍ୟରେ ଏକ ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ