

ସମ୍ବଲପୁର, ୨୦ ଜୁଲାଇ(ହି.ସ.) – ଦେଶର ଅଗ୍ରଣୀ ସରକାରୀ ବ୍ୟାଙ୍କ ମଧ୍ୟରୁ ଅନ୍ୟତମ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ୧୧୯ ତମ ପ୍ରତିଷ୍ଠା ଦିବସ ବିଭିନ୍ନ ସାମାଜିକ, ପରିବେଶ ସୁରକ୍ଷା, ଗ୍ରାହକ ସମ୍ପର୍କ ଏବଂ କର୍ମଚାରୀ କଲ୍ୟାଣମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଯାଇଛି। ପ୍ରତିଷ୍ଠା ଦିବସ ଅବସରରେ ଜୁଲାଇ ୧୭ ତାରିଖରେ ଶିଶୁମାନଙ୍କ ପାଇଁ ଚିତ୍ରାଙ୍କନ ଏବଂ କାହାଣୀ କହିବା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହା ମାଧ୍ୟମରେ ଶିଶୁମାନଙ୍କ ସୃଜନଶୀଳତା ଓ ନୈତିକ ମୂଲ୍ୟବୋଧକୁ ପ୍ରୋତ୍ସାହନ ଦିଆ ଯାଇଥିଲା। ସେହିପରି ଜୁଲାଇ ୧୮ ତାରିଖରେ ସିଏସ୍ କଲୋନୀ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପରିବେଶ ସୁରକ୍ଷା ଓ ସବୁଜ ଭବିଷ୍ୟତ ପ୍ରତି ବ୍ୟାଙ୍କର ପ୍ରତିବଦ୍ଧତାକୁ ଦୋହରା ଯାଇଥିଲା। ସାମାଜିକ ଦାୟିତ୍ୱ ବୋଧର ଅଂଶ ସ୍ୱରୂପ ବ୍ୟାଙ୍କ ପକ୍ଷରୁ ଫୁର୍ଲିଝରଣସ୍ଥିତ ଡ଼. ଆଇଜାକ୍ ସାନ୍ତ୍ରା ବାଳ ନିକେତନକୁ ରାସନ ସାମଗ୍ରୀ ଓ ଦୈନନ୍ଦିନ ବ୍ୟବହାର୍ଯ୍ୟ ଆବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇ ଶିଶୁମାନଙ୍କ ପ୍ରତି ସହଯୋଗର ହାତ ବଢ଼ାଯାଇଥିଲା। କର୍ମଚାରୀଙ୍କ ମଧ୍ୟରେ ସହଯୋଗୀ ମନୋଭାବ ଓ କାର୍ଯ୍ୟ ଉତ୍ସାହ ବୃଦ୍ଧି ପାଇଁ ଆଂଚଳିକ କାର୍ଯ୍ୟାଳୟରେ ମହିଳା କର୍ମଚାରୀଙ୍କ ପାଇଁ ବିଭିନ୍ନ କ୍ରୀଡ଼ା ଓ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ସୋମବାର ସକାଳେ ପ୍ରତିଷ୍ଠା ଦିବସ ଅବସରରେ ଏକ ବାଇକ୍ ରାଲିର ଶୁଭାରମ୍ଭ କରାଯାଇଥିଲା। ଏହି ରାଲି ମାଧ୍ୟମରେ ଆର୍ôଥକ ସମାବେଶ, ଉନ୍ନତ ଗ୍ରାହକ ସେବା ଓ ବ୍ୟାଙ୍କ ଅଫ୍ ବରୋଦାର ଦୀର୍ଘ ୧୧୯ ବର୍ଷର ଗୌରବମୟ ଯାତ୍ରାର ବାର୍ତା ସହରବ୍ୟାପୀ ପ୍ରଚାର କରାଯାଇଥିଲା। ଏହି ଅବସରରେ ଆଂଚଳିକ କାର୍ଯ୍ୟାଳୟରେ ଏକ ଗ୍ରାହକ ସମ୍ମିଳନୀ ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ବ୍ୟାଙ୍କର ଗ୍ରାହକ, କର୍ମଚାରୀ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗଦେଇଥିଲେ। ସମାରୋହକୁ ସମ୍ବୋଧିତ କରି ଆଂଚଳିକ ପ୍ରବନ୍ଧକ ପ୍ରଭାକର ଝାପଟସିଂହ ଏବଂ ଉପ ଆଂଚଳିକ ପ୍ରବନ୍ଧକ କେଦାରନାଥ ବେହେରା ବ୍ୟାଙ୍କ ଅଫ୍ ବରୋଦାର ୧୧୯ ବର୍ଷର ଗୌରବମୟ ଯାତ୍ରା ଏବଂ ଗ୍ରାହକ ସେବା କ୍ଷେତ୍ରରେ ଏହାର ଉଲ୍ଲେଖନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ ବୋଲି ବିଶିଷ୍ଟ ବିଜ୍ଞାପନ ପ୍ରଭାରୀ ପ୍ରଭଞ୍ଜନ ବୈଠାରୁ ସୂଚନା ପ୍ରଦାନ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ