ବେଲପାହାଡ଼ ଏସବିଆଇ ଏଟିଏମ୍ ରେ ଅଗ୍ନିକାଣ୍ଡ
Fire in Belpahar SBI atm
Fire in Belpahar SBI atm


ଝାରସୁଗୁଡ଼ା, ୨୦ ଜୁଲାଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ରେଳ ଫାଟକ ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ଏକ ଏଟିଏମ୍ ରେ ରବିବାର ସକାଳେ ଅଗ୍ନିକାଣ୍ଡ ଘଟିଥିଲା। ଘଟଣାକୁ ନେଇ କିଛି ସମୟ ପାଇଁ ସ୍ଥାନୀୟ ବ୍ୟସ୍ତ ବଜାର ଓ ଆଖପାଖ ଅଞ୍ଚଳରେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଅଗ୍ନିଶମ ବାହିନୀର ତ୍ୱରିତ ପଦକ୍ଷେପ ଯୋଗୁଁ ନିଆଁକୁ ସମୟରେ ଆୟତ୍ତ କରାଯାଇ ବଡ଼ ଧରଣର ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ଏଟିଏମ୍ କକ୍ଷର ଏସି ପାଇପ୍ ଦେଇ ଘନ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଟିଆରଏଲ କ୍ରୋସାକି କମ୍ପାନୀର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସୂଚନା ପାଇବା ପରେ ଦମକଳ କର୍ମଚାରୀ ଓ ସୁରକ୍ଷାକର୍ମୀମାନେ ବିଳମ୍ବ ନକରି ଘଟଣାସ୍ଥଳରେ ପହଞ୍ଚି ଅଗ୍ନି ନିର୍ବାପଣ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାଥମିକ ଯାଞ୍ଚରୁ ଏଟିଏମ୍ ବ୍ୟାଟେରୀରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ପ୍ରାୟ ଏକ ଘଣ୍ଟାର ଉଦ୍ୟମ ପରେ ଅଗ୍ନିଶମ ବାହିନୀ ସମ୍ପୂର୍ଣ୍ଣ ଭାବେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା। ଏହି ଘଟଣାରେ କୌଣସି ଜନହାନି କିମ୍ବା ଆହତ ହେବାର ଖବର ନଥିବା ବେଳେ ଏଟିଏମ୍ ର କିଛି ଉପକରଣ କ୍ଷତିଗ୍ରସ୍ତ ହୋଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ କ୍ଷୟକ୍ଷତିର ସଠିକ୍ ଆକଳନ ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ଅଗ୍ନିଶମ ବାହିନୀର ତ୍ୱରିତ ଓ ଦକ୍ଷତାପୂର୍ଣ୍ଣ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande