
ଓଭରଲୋଡିଂ ଟ୍ରକ୍କୁ ନେଇ ବଢ଼ୁଛି ଦୁର୍ଘଟଣା ଆଶଙ୍କା; ସ୍ଥାନୀୟଙ୍କ ମଧ୍ୟରେ ଅସନ୍ତୋଷ
ଝାରସୁଗୁଡ଼ା, ୨୦ ଜୁଲାଇ (ହି.ସ.)ଝାରସୁଗୁଡ଼ା ଜିଲ୍ଲାରେ ପାଉଁଶ ପରିବହନକୁ ନେଇ ପୁଣିଥରେ ବିବାଦ ଦେଖାଦେଇଛି। ଜିଲ୍ଲାପାଳଙ୍କ ପକ୍ଷରୁ ରମ୍ପେଲା ସେତୁ ଉପରେ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପାଉଁଶ ପରିବହନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଥିଲେ ମଧ୍ୟ ତାହାର ପ୍ରଭାବ ଭୂମିସ୍ତରରେ ଦେଖିବାକୁ ମିଳୁନଥିବା ଅଭିଯୋଗ ହେଉଛି। ଫଳରେ ସେତୁ ଉପରେ ଓଭରଲୋଡିଂ ପାଉଁଶ ବୋଝେଇ ଟ୍ରକ୍ର ଚଳାଚଳ ପୂର୍ବବତ୍ ଜାରି ରହିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ଜିଲ୍ଲାରେ ଥିବା ବିଭିନ୍ନ ତାପଜ ବିଦ୍ୟୁତ୍ ପ୍ରକଳ୍ପରୁ ପ୍ରତିଦିନ ବହୁ ପରିମାଣରେ ପାଉଁଶ ପରିବହନ ହେଉଥିବାବେଳେ ବେଆଇନ ଓଭରଲୋଡିଂକୁ ନେଇ ଦୀର୍ଘଦିନ ଧରି ଅଭିଯୋଗ ଉଠିଆସୁଛି। ଏହାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଟାସ୍କ ଫୋର୍ସ ଗଠନ କରିଥିଲେ ମଧ୍ୟ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟଙ୍କ ଅଭିଯୋଗ, କେତେକ ସ୍ଥାନରେ ଚଢ଼ାଉ ହେଉଥିଲେ ମଧ୍ୟ ଅଧିକାଂଶ ଓଭରଲୋଡିଂ ଗାଡ଼ି ବିନା ବାଧାରେ ଚଳାଚଳ କରୁଛି।
ଲଖନପୁର ବ୍ଲକର ତିଲିଆ ପଞ୍ଚାୟତ ଅଞ୍ଚଳବାସୀଙ୍କ ଯାତାୟାତ ସୁବିଧା ପାଇଁ ନିର୍ମିତ ରମ୍ପେଲା ସେତୁ ବର୍ତ୍ତମାନ ପ୍ରଧାନତଃ ପାଉଁଶ ପରିବହନରେ ବ୍ୟବହୃତ ହେଉଥିବାରୁ ସାଧାରଣ ଲୋକ ଅସୁବିଧାରେ ପଡ଼ୁଛନ୍ତି। ସେତୁ ଉପରେ ଭାରୀ ଯାନ ଚଳାଚଳ ଯୋଗୁଁ ଦୁର୍ଘଟଣା ଘଟୁଥିବା ସହ ଧୂଳି ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ ଓ ରାସ୍ତାର କ୍ଷୟକ୍ଷତି ବଢ଼ୁଥିବା ଅଭିଯୋଗ ମଧ୍ୟ ହୋଇଆସୁଛି। ଏନେଇ ସ୍ଥାନୀୟ ଲୋକ ଅନେକଥର ଆନ୍ଦୋଳନ ଓ ଧାରଣା ଦେଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନଥିବା କହିଛନ୍ତି।
ସୂଚନାନୁସାରେ, ଜିଲ୍ଲାପାଳ ଗତ ୧୮ ତାରିଖରେ ଜାରି କରିଥିବା ନିର୍ଦ୍ଦେଶରେ ୩୧ ତାରିଖ ପର୍ଯ୍ୟନ୍ତ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରମ୍ପେଲା ସେତୁ ଉପରେ ପାଉଁଶ ପରିବହନ ବନ୍ଦ ରଖିବାକୁ କୁହାଯାଇଥିଲା। ତଥାପି ସେହି ସମୟରେ ମଧ୍ୟ ଟ୍ରକ୍ ଚଳାଚଳ ଜାରି ରହିଥିବାରୁ ନିର୍ଦ୍ଦେଶ ପାଳନକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।
ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ମଧ୍ୟ ଓଭରଲୋଡିଂ ଓ ରାସ୍ତାକଡ଼ରେ ଗାଡ଼ି ପାର୍କିଂ ବନ୍ଦ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ତାହା ସଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ରହିଛି। ସ୍ଥାନୀୟଙ୍କ କହିବା ଅନୁସାରେ, କେବଳ ଗଣନାତ୍ମକ କିଛି ଗାଡ଼ି ବିରୋଧରେ ପଦକ୍ଷେପ ନିଆଯାଉଥିବାବେଳେ ଅଧିକାଂଶ ଓଭରଲୋଡିଂ ଯାନ ନିର୍ବିଘ୍ନରେ ଚଳାଚଳ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ