ପ୍ରବାସୀ ଶ୍ରମିକ ସଚେତନତା ଶିବିର
ନୂଆପଡ଼ା, ୨୦ ଜୁଲାଇ(ହି.ସ.) – ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଦୋହେଲପଡ଼ା ଗ୍ରାମ ପଂଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଗ୍ରାମ ପଂଚାୟତସ୍ତରୀୟ ପ୍ରବାସୀ ଶ୍ରମିକ ନିରାକରଣ ସଚେତନତା ଶିବିର ଓ ବିଭିନ୍ନ ଜନସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ
Prabasi shramik sachetanata


ନୂଆପଡ଼ା, ୨୦ ଜୁଲାଇ(ହି.ସ.) – ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଦୋହେଲପଡ଼ା ଗ୍ରାମ ପଂଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଗ୍ରାମ ପଂଚାୟତସ୍ତରୀୟ ପ୍ରବାସୀ ଶ୍ରମିକ ନିରାକରଣ ସଚେତନତା ଶିବିର ଓ ବିଭିନ୍ନ ଜନସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡଃ ଦ୍ୱାରିକାନାଥ ଶତପଥୀ, ଖଡ଼ିଆଳ ବିଡିଓ ମିଳନ କୁମାର ଝାଙ୍କର, ତହସିଲଦାର ନରସିଂହ ଗଦବା, ସ୍ଥାନୀୟ ସରପଂଚ ଦୀପିକା ବେହେରା, ଜିଲ୍ଲା ପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନା ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଶ୍ରମିକ, କୃଷକ, ମହିଳା ଓ ସାଧାରଣ ଜନତାଙ୍କୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ‘ଝିଅ ପାଇଁ ଗଛଟିଏ’ ଏବଂ ‘ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଜଣେ ନବଜାତ କନ୍ୟା ଶିଶୁକୁ କୋଳରେ ଧରି ତାହାର ସୁସ୍ଥ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଶିଶୁର ପିତାମାତାଙ୍କୁ ବୃକ୍ଷଚାରା ଓ ଉପହାର ପ୍ରଦାନ କରିଥିଲେ। ସେହିପରି ‘ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମରେ ଗ୍ରାମର ତିନିଜଣ ଗର୍ଭବତୀ ମହିଳାଙ୍କୁ ଫଳ, ପନିପରିବା, ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଓ ଉପହାର ପ୍ରଦାନ କରାଯାଇଥିଲା। ସ୍ଥାନୀୟ ଛାତ୍ରୀମାନଙ୍କ ଦ୍ୱାରା ଗୀତ ଓ ନୃତ୍ୟ ପରିବେଷଣ କରାଯାଇ ସଚେତନତାର ବାର୍ତା ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ସରକାରଙ୍କ ପକ୍ଷରୁ ଜିଲ୍ଲାରେ ବହୁ ଜନକଲ୍ୟାଣକାରୀ ଓ କର୍ମନିଯୁକ୍ତି ମୂଳକ ଯୋଜନା କାର୍ଯ୍ୟକାରୀ ହେଉଛି। ବିଶେଷକରି ଭିବି-ଜି ରାମ-ଜି ଯୋଜନା ଅଧିନରେ ଉପଲବ୍ଧ ରୋଜଗାର ସୁଯୋଗର ସଦୁପଯୋଗ କରି ପ୍ରବାସୀ ଶ୍ରମିକ ଭାବେ ବାହାରକୁ ନଯାଇ ନିଜ ଗାଁରେ ରହି କାମ କରିବାକୁ ସେ ଗ୍ରାମବାସୀଙ୍କୁ ଆହ୍ୱାନ ଦେଇଥିଲେ। ମହିଳାମାନଙ୍କୁ ନିଜ ପରିବାରର ସଦସ୍ୟମାନଙ୍କୁ ପ୍ରବାସକୁ ନପଠାଇ ସ୍ଥାନୀୟ ସ୍ତରରେ ଉପଲବ୍ଧ ରୋଜଗାର ସୁଯୋଗର ଲାଭ ଉଠାଇବା ପାଇଁ ପ୍ରେରିତ କରିବାକୁ ସେ ଅନୁରୋଧ କରିଥିଲେ। ଜିଲ୍ଲାପାଳ ଆହୁରି କହିଥିଲେ ଯେ, ଦୋହେଲପଡ଼ାକୁ ଏକ ଆଦର୍ଶ ଗ୍ରାମ ପଂଚାୟତ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ଏଥିପାଇଁ ଏକକ ବ୍ୟବହୃତ ପ୍ଲାଷ୍ଟିକ, ଶିଶୁ ଶ୍ରମ ଏବଂ ଶିଶୁ ବିବାହକୁ ନା ବୋଲି ସମସ୍ତଙ୍କୁ ସଂକଳ୍ପ ନେବାକୁ ସେ ଆହ୍ୱାନ ଦେଇଥିଲେ। ଛୋଟ ପିଲାମାନଙ୍କୁ ଶ୍ରମରେ ନିୟୋଜିତ ନକରି ନିୟମିତ ବିଦ୍ୟାଳୟକୁ ପଠାଇବା ପାଇଁ ମଧ୍ୟ ସେ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଗତ ଆର୍ôଥକ ବର୍ଷରେ ମନରେଗା ଯୋଜନାରେ ୧୦୦ ଦିନରୁ ଅଧିକ କାର୍ଯ୍ୟ କରିଥିବା ଶ୍ରମିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଖାସବାହାଲ ଗ୍ରାମ ପଂଚାୟତର ଚନ୍ଦ୍ରିକା ଶବର ଓ ଯମୁନା ମାଝୀଙ୍କୁ ‘ସ୍ୱଚ୍ଛତା ଦୂତ ସମ୍ମାନ’ ପ୍ରଦାନ କରାଯାଇଥିଲା। ଶେଷରେ ‘ପକ୍ଷୀ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଅତିଥିମାନେ ପକ୍ଷୀମାନଙ୍କ ପାଇଁ ବାସ, ଖାଦ୍ୟ ଓ ଜଳର ବ୍ୟବସ୍ଥା କରିବା ସହ ବୃକ୍ଷରୋପଣ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ପୂର୍ବରୁ ପ୍ରବାସୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଲୋକନାଥ ଭୋଇଙ୍କ ଘର ପରିଦର୍ଶନ କରି ତାଙ୍କ ପରିବାର ସହ ଆଲୋଚନା କରିଥିଲେ। ବର୍ତମାନ ସେ ସରକାରୀ ରୋଜଗାର ଯୋଜନାରେ କାର୍ଯ୍ୟ କରି ନିଜ ଗାଁରେ ଜୀବିକା ନିର୍ବାହ କରୁଥିବାରୁ ଜିଲ୍ଲାପାଳ ସନ୍ତୋଷ ବ୍ୟକ୍ତ କରିଥିଲେ। ସେ ତାଙ୍କୁ ବିଭିନ୍ନ ସରକାରୀ ଯୋଜନାର ଲାଭ ସମ୍ପର୍କରେ ଅବଗତ କରାଇବା ସହ ଏହାର ସର୍ବାଧିକ ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ। ଏହି ସଚେତନତା ଶିବିରକୁ ଖଡ଼ିଆଳ ବ୍ଲକ ପ୍ରଶାସନ, ତହସିଲ ପ୍ରଶାସନ, ପଂଚାୟତିରାଜ ବିଭାଗ, ବନ ବିଭାଗ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ମିଳିତ ସହଯୋଗରେ ଆୟୋଜନ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande