ନିଜ ଦୁର୍ନୀତି ଘୋଡ଼ାଇବାକୁ ବିଜେପିରେ ମିଶିଲେ ଖଡ଼ିଆଳ ଏନ୍ଏସି ଅଧ୍ୟକ୍ଷ
ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ସାଂଘାତିକ ଅଭିଯୋଗ ନୂଆପଡ଼ା, ୨୦ ଜୁଲାଇ(ହି.ସ.) – ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନଏସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତାଙ୍କ ବିଜେପିରେ ଯୋଗଦାନକୁ ନେଇ ଖଡ଼ିଆଳ କଂଗ୍ରେସ ପକ୍ଷରୁ ଖଡ଼ିଆଳର ମଙ୍ଗଳମୂର୍ତି ହୋଟେଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଂଗ୍
Press meet of Khariar congress


ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ସାଂଘାତିକ ଅଭିଯୋଗ

ନୂଆପଡ଼ା, ୨୦ ଜୁଲାଇ(ହି.ସ.) – ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନଏସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତାଙ୍କ ବିଜେପିରେ ଯୋଗଦାନକୁ ନେଇ ଖଡ଼ିଆଳ କଂଗ୍ରେସ ପକ୍ଷରୁ ଖଡ଼ିଆଳର ମଙ୍ଗଳମୂର୍ତି ହୋଟେଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା କମଳ ଚରଣ ତାଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉଜ୍ଜଳ ଗୁପ୍ତାଙ୍କୁ ଜଣେ ବଡ଼ ସୁବିଧାବାଦୀ ନେତା ଭାବେ ଆଖ୍ୟା ଦେଇ ଗୁପ୍ତା କଂଗ୍ରେସ ଟିକେଟ୍ରେ ଜିତି ଖଡ଼ିଆଳର ନଗରପାଳ ହୋଇଥିଲେ। କିନ୍ତୁ କଂଗ୍ରେସରୁ ଫାଇଦା ନେବା ପରେ ସେ ସଦାସର୍ବଦା ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିଲେ। ଯେତେବେଳେ ପ୍ରାକ୍ତନ ବିଧାୟକ ଅଧିରାଜ ପାଣିଗ୍ରାହୀ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ, ସେତେବେଳେ ଉଜ୍ଜଳ ଗୁପ୍ତା ସରକାରୀ ଭାବେ ଦଳ ଛାଡ଼ି ନଥିଲେ ମଧ୍ୟ ଭିତରିଆ ଭାବେ ବିଜେଡି ବିଧାୟକଙ୍କ ସହ ହିଁ ରହିଥିଲେ। ଶ୍ରୀ ଭକ୍ତଚରଣ ଦାସ ରାଜ୍ୟ ସଭାପତି ଦାୟିତ୍ୱ ନେବା ସମୟରେ ତାଙ୍କୁ ସାଧାରଣ ଶୁଭେଚ୍ଛା ଜଣାଇବାକୁ ମଧ୍ୟ ଶ୍ରୀ ଗୁପ୍ତା ଉଚିତ୍ ମଣିନଥିଲେ। ନୂଆପଡ଼ାରେ ହୋଇଥିବା ଉପ-ନିର୍ବାଚନରେ ମଧ୍ୟ ସେ କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ସେ କେବଳ ନିଜ ସ୍ୱାର୍ଥ ପାଇଁ କଂଗ୍ରେସର ନାମ ବ୍ୟବହାର କରୁଥିଲେ, ଦଳ ପ୍ରତି ତାଙ୍କର କୌଣସି ନିଷ୍ଠା ନଥିଲା। ଏହି ଅବସରରେ ଶ୍ରୀ ତାଣ୍ଡି ଖଡ଼ିଆଳ ଏନଏସିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ବଡ଼ ଧରଣର ମହାଘୋଟାଲା ହୋଇଥିବା କହିବା ସହ ସହର ପାଇଁ ମୋଟ ୨,୩୬୯ ଟି ଗୃହ ମଞ୍ଜୁର ହୋଇଥିଲା। କିନ୍ତୁ ବାସ୍ତବରେ ୩,୩୮୩ ଟି ଘର ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଛି। ଏହି ବଳକା ଘର କେଉଁଠୁ ଆସିଲା ଏବଂ କେଉଁ ଆଧାରରେ ବଣ୍ଟାଗଲା, ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଓ ପିସି କାରବାର ହୋଇଛି। ଉଜ୍ଜଳ ଗୁପ୍ତା ନିଜ କାର୍ଯ୍ୟକାଳ ମଧ୍ୟରେ କରିଥିବା ଏହି ସବୁ ଦୁର୍ନୀତି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବଂଚିବା ପାଇଁ ଶାସକ ଦଳ (ବିଜେପି)ର ଶରଣ ପଶିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହି ମହାଘୋଟାଲାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଛି। ଆସନ୍ତା ୭ ଦିନ ମଧ୍ୟରେ ଯଦି ଜିଲା ପ୍ରଶାସନ ଏହି ଦୁର୍ନୀତି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ, ତେବେ କଂଗ୍ରେସ ପକ୍ଷରୁ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶ୍ରୀତାଣ୍ଡିଙ୍କ ସମେତ ଖଡ଼ିଆଳ ନଗର କଂଗ୍ରେସ ସଭାପତି ପ୍ରବୀଣ କୁମାର ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ପଦ୍ମନାଭ ଜଗତ, ଖଡ଼ିଆଳ ବ୍ଲକ ସଭାପତି ବୁଦ୍ଧଦେବ ବେହେରା ଏବଂ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ପ୍ରଦୀପ ବେହେରାଙ୍କ ସମେତ ବହୁ ଦଳୀୟ କର୍ମକର୍ତା ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande