କୋରାପୁଟ ଜିଲ୍ଲାରେ ଲୋପ ପାଇବାକୁ ବସିଲାଣି ପାଟପୋକ
ଜୟପୁର, 22 ଜୁଲାଇ (ହି.ସ.) କୋରାପୁଟ ଜିଲାରେ ପ୍ରକୃତିର ଅନନ୍ୟ ଆକର୍ଷଣ, ଅପରୁପ ସୌନ୍ଦର୍ଯ୍ୟର ଅଧିକାରୀ, ଲାଲ ଟୁକୁଟୁକୁ ସାଧବବୋହୁ ଭାବେ ସର୍ବତ୍ର ପରିଚିତ ଥିବା ପାଟପୋକ ଆଉ ଆଗଭଳି ଗାଁଗହଳିର ଘାସ ଗାଲିଚାରେ ଧୀରେ ଧୀରେ ଚାଲିବାର ଦେଖିବାକୁ ମିଳୁନାହିଁ । ବର୍ଷାମାଟିକୁ ସ୍ପର୍ଶ କରିବା ପରେ ଧରଣୀର
କୋରାପୁଟ ଜିଲ୍ଲା ରେ ଲୋପ ପାଇବାକୁ ବସିଲାଣି ପାଟପୋକ


ଜୟପୁର, 22 ଜୁଲାଇ (ହି.ସ.) କୋରାପୁଟ ଜିଲାରେ ପ୍ରକୃତିର ଅନନ୍ୟ ଆକର୍ଷଣ, ଅପରୁପ ସୌନ୍ଦର୍ଯ୍ୟର ଅଧିକାରୀ, ଲାଲ ଟୁକୁଟୁକୁ ସାଧବବୋହୁ ଭାବେ ସର୍ବତ୍ର ପରିଚିତ ଥିବା ପାଟପୋକ ଆଉ ଆଗଭଳି ଗାଁଗହଳିର ଘାସ ଗାଲିଚାରେ ଧୀରେ ଧୀରେ ଚାଲିବାର ଦେଖିବାକୁ ମିଳୁନାହିଁ । ବର୍ଷାମାଟିକୁ ସ୍ପର୍ଶ କରିବା ପରେ ଧରଣୀରାଣୀର କୋଳରୁ ଏହି ପାଟପୋକ ଜନ୍ମ ନେଇଥାନ୍ତି ଓ ବର୍ଷାଭିଜା ନରମ ମାଟିକୁ ଫଟାଇ ତାରି ଭିତରୁ ପଦାକୁ ଆସି ଧୀରେ ଧୀରେ ଚାଲୁଥିବା ଏହି ପାଟପୋକଙ୍କ ସୌନ୍ଦର୍ଯ୍ୟ ଦେଖିଲେ ଲାଗେ ସତେ ଯେମିତି ପ୍ରକୃତିରାଣୀ ତାର ସମସ୍ତ ଗାଢ ରଙ୍ଗକୁ ଏହି ଛୋଟିଆ କୀଟ ଉପରେ ଢାଳିଦେଇଛି ଓ ଉର୍ବର ଜମିରେ ପ୍ରଥମ ବର୍ଷା ପାଣି ପଡିଲେ ଏହି ପାଟପୋକ ଜନ୍ମ ନେଇଥାନ୍ତି । ମାଟି ଭିତରେ ବର୍ଷାଜଳ ପହଞ୍ଚି ଅନୁକୂଳ ତାପମାତ୍ରା ପାଇଲେ ଏହି ପୋକର ଅଣ୍ଡାରୁ ଛୁଆ ଜନ୍ମ ହୋଇଥାଏ । ଏହାପରେ ମାଟିରୁ ଜନ୍ମ ନେଇଥାନ୍ତି ଏହି କ୍ଷୁଦ୍ର ତଥା ଅତି ସୁନ୍ଦର ପାଟପୋକ । ଅତୀତରେ ଗ୍ରାମାଞ୍ଚଳ ଠାରୁ ଆରମ୍ଭକରି ସହରାଞ୍ଚଳର ଚାଷଜମିରେ ଏହି ପାଟପୋକ ପ୍ରଚୁର ମାତ୍ରାରେ ଦେଖିବାକୁ ମିଳୁଥିଲା । ଛୋଟ ଛୋଟ ପିଲାମାନେ ଏହି ପାଟପୋକକୁ ହାତରେ ଧରି ଆଦର କରିବା ସହ ବେଶ ମଜା ନେଉଥିଲା ବେଳେ ଏହି ପୋକ ଜମିରୁ ପଦାକୁ ବାହାରିଲା ମାତ୍ରେ ଚାଷୀ ସମାଜ ବି ସେମାନଙ୍କ ଜମି ବେଶ ଉର୍ବ ର ଅଛି ବୋଲି ନିଶ୍ଚିତ ହୋଇଯାଉ ଥିଲା । କିନ୍ତୁ ବିଗତ କିଛି ବର୍ଷ ହେଲା ଏହି ପାଟପୋକ ପ୍ରାୟତଃ ଆଉ ଦେଖିବାକୁ ମିଳୁନାହିଁ । ବିଶ୍ୱ ତାପାୟନ ସାଙ୍ଗକୁ ଅଧିକକାଂଶ ଚାଷଜମିରେ

ମାତ୍ରାଧିକ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଯୋଗୁଁ ମାଟିର ଉର୍ବରତା ହ୍ରାସ ପାଉଥିବା ଯୋଗୁଁ ଆଉ ପାଟପୋକ ଜନ୍ମ ହେଉନଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଏହି ପାଟପୋକ ବର୍ଷକୁ ଥରେ ମାତ୍ର ଅଣ୍ଡା ଦେଇଥାନ୍ତି ଓ ଯଦି ଅନୁକୂଳ ପାଗ ସୃଷ୍ଟି ନହୁଏ ତେବେ ଜମିରେ ହିଁ ଏହା ନଷ୍ଟ ହୋଇଯାଇଥାଏ । ଜୈବବିବିଧତା ରକ୍ଷା ଦିଗରେ ପଦକ୍ଷେପ ନିଆନଗଲେ

ଆଗାମୀ କିଛି ବର୍ଷ ପରେ ଏହି ପାଟପୋକ ଇତିହାସ ପାଲଟିଯିବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ମତ ପ୍ରକାଶ ପାଉଛି । ଲାଲ ଟୁକୁଟୁକୁ ସାଧବବୋହୁର ନାଁ ଶୁଣିଲେ ମନରେ ଆନନ୍ଦ ଆସିଯାଇଥାଏ । ପାଟପୋକ ଛୋଟିଆ କୀଟଟିଏ ହୋଇଥିଲେ ବି ଏହାର ଅପୂର୍ବ ସୌନ୍ଦର୍ଯ୍ୟରେ ପିଲାଠୁ

ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ବିମୋହିତ ହୋଇ ପଡି ଥାନ୍ତି ।ପ୍ରକୃତିରାଣୀର ସୌନ୍ଦର୍ଯ୍ୟମୟ ସୃଷ୍ଟି ପାଟପୋକ ସାଂପ୍ରତିକ ପରିସ୍ଥିତିରେ ବିଲୁପ୍ତର ଦ୍ୱାରଦେଶରେ ପହଞ୍ଚିସାରିଛି । ସାଂପ୍ରତିକ ପରିସ୍ଥିତିରେ ପ୍ରଦୂଷିତ ପରିବେଶ ରେ ଏହି ପାଟପୋକର ବଂଶ ଲୋପ ପାଇବାକୁ ବସିଥିବା ବେଳେ ଆଧୁନିକତାର ଚାଦର ତଳେ ଚାପି ହୋଇଗଲାଣି ଏହି ସୁନ୍ଦର ଜୀବ । ଆଉ ପୂର୍ବ ପରି ସବୁଜ ଗାଲିଚାରେ ପାଟପୋକ ଧୀରେ ଧୀରେ ବୁଲାବୁଲି କରୁଥିବାର ଆଉ ଦେଖିବାକୁ ମିଳୁନାହିଁ । ଲାଲ ଟୁକୁ ଟୁକୁ ସାଧବବୋହୁ ଏବି ନାଁଟି ଶୁଣିଲେ ଆଖି ଆଗରେ ନାଚି ଉଠିଥାଏ ସେହି ଭାରି ସୁନ୍ଦରିଆ ପୋକଟିଏ । ଭେଲବେଟ ଭଳି ଭାରି କୋମଳ । ବିଷେଶ କରି

ବର୍ଷା ଦିନରେ ଚାଷଜମି, ଖୋଲଓ ପଡିଆ, ବିଲହୁଡାରେ ଏହି ସୁନ୍ଦରିଆ ଛୋଟିଆ ପାଟପୋକ ବା ସାଧବବୋହୁ ମାନଙ୍କୁ ଦେଖିବାକୁ ମିଳିଥାଏ । ବର୍ଷର ଅଧିକାଂଶ ସମୟ ଏହି ସୁନ୍ଦରିଆ ଜୀବ ପାଟପୋକ ମାଟି ତଳେ ରୁହନ୍ତି ଓ ବର୍ଷା ହେଲେ ବାହାରକୁ ଆସି ଖାଦ୍ୟ ଖୋଜିଥାନ୍ତି ଓ ପ୍ରଜନନ ମଧ୍ୟ କରିଥାନ୍ତି । ବର୍ଷକୁ ଥରେ ମାତ୍ର ଅଣ୍ଡା ଦେଇ ବଂଶ ବିସ୍ତାର କରିଥାନ୍ତି ଓ ତେବେ କୃଷିକାର୍ଯ୍ୟରେ ରାସାୟନିକ ସାରର ଅତ୍ୟଧିକ ବ୍ୟବହାର ଯୋଗୁଁ

ଏହି ସୁନ୍ଦରିଆ ଜୀବର ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଆଗାମୀ କିଛି ବର୍ଷ ପରେ ଆମର ପରବର୍ତ୍ତୀ ପିଢୀ ପାଇଁ ଏହି ସୁନ୍ଦର ପାଟପୋକ ବିଷୟରେ ଜାଣିବା କେବଳ ପାଠ୍ୟପୁସ୍ତକରେ ସୀମିତ ରହିଯିବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande