କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ୨୫ ଜୁଲାଇ (ହି.ସ)- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। ନିଟ୍ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ସେ ନିଜର ଇସ୍ତଫ
dharmendra


ନୂଆଦିଲ୍ଲୀ/ଭୁବନେଶ୍ୱର, ୨୫ ଜୁଲାଇ (ହି.ସ)- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। ନିଟ୍ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି।

ନିଜ ସୋସିଆଲ ମିଡିଆ ହାଣ୍ଡେଲରେ ଏକ ପୋଷ୍ଟରେ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଗତ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ମୁଁ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଶିକ୍ଷା ସଂସ୍କାରର କାର୍ଯ୍ୟରେ ନିଜକୁ ସମର୍ପିତ କରିଆସିଛି। ମୁଁ ସବୁବେଳେ ବିଶ୍ୱାସ କରିଆସିଛି ଯେ ଏକ ଦୃଢ଼, ସାମୂହିକ ଏବଂ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ହିଁ ଏକ ସଶକ୍ତ ରାଷ୍ଟ୍ରର ମୂଳ ଭିତି।

ଦେଶର ଯୁବପିଢ଼ିର ଆଶା, ଆକାଂକ୍ଷା ଏବଂ ଯୁକ୍ତିସଙ୍ଗତ ଅପେକ୍ଷା ପ୍ରତି ମୋର ଗଭୀର ସମ୍ମାନ ରହିଛି। ଭାରତର ଯୁବପିଢ଼ିଙ୍କ ସ୍ୱପ୍ନକୁ ସାକାର କରିବା ଆମର ରାଜନୈତିକ ଏବଂ ସାମାଜିକ ଜୀବନର ଏକ ନୈତିକ ଦାୟିତ୍ୱ ରହିଛି। ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଦେଶସେବା କରିବାର ସୁଯୋଗ ମୋତେ ଦେଇଥିବାରୁ ମୁଁ ତାଙ୍କ ପ୍ରତି କୃତଜ୍ଞ।

୩ ମଇ ୨୦୨୬ରେ ଅନୁଷ୍ଠିତ ନିଟ୍-ୟୁଜି ପରୀକ୍ଷାରେ ଅନିୟମିତତା ପରେ ଆମର ପ୍ରଥମ ପ୍ରାଥମିକତା ଥିଲା ୨୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାକୁ ସୁଚାରୁ ଭାବରେ ସମ୍ପନ୍ନ କରିବା। କେନ୍ଦ୍ର ସରକାର, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହଯୋଗରେ ୨୧ ଜୁନ୍ ୨୦୨୬ରେ ପରୀକ୍ଷା ସଫଳତାର ସହ ସମ୍ପନ୍ନ ହୋଇଥିଲା। ପ୍ରଥମ ଦିନରୁ ମୁଁ ଏହି ପରିସ୍ଥିତିର ସମ୍ପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଥିଲି ଏବଂ କେବେବି ଏଥିରୁ ପଛକୁ ହଟିନଥିଲି। ମୋର ଦୃଢ଼ ସଙ୍କଳ୍ପ ଥିଲା ଯେ କୌଣସି ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ‘ପରୀକ୍ଷା ମାଫିଆ’ ଯୋଗୁଁ ନଷ୍ଟ ହେବ ନାହିଁ ଏବଂ କୌଣସି ଛାତ୍ରଛାତ୍ରୀଙ୍କ ପ୍ରତି ଅନ୍ୟାୟ ହେବ ନାହିଁ।

ଜୁଲାଇ ୧୬ରେ ଘୋଷିତ ନିଟ୍ ୟୁଜି ପରୀକ୍ଷାର ଫଳାଫଳ ସନ୍ତୋଷଜନକ ଥିଲା। କିନ୍ତୁ ଏହି ସମୟରେ ମଧ୍ୟ କିଛି ଦାୟିତ୍ୱପୂର୍ଣ୍ଣ ପଦବୀରେ ଥିବା ବ୍ୟକ୍ତି ଛାତ୍ରଛାତ୍ରୀଙ୍କୁ ଭ୍ରମିତ କରିବା ଏବଂ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ଏହା ମୋତେ ଗଭୀର ଭାବେ ବ୍ୟଥିତ କରିଛି।

ମୁଁ ସବୁବେଳେ ଆମ ଗଣତନ୍ତ୍ରର ଶକ୍ତି ଉପରେ ଅତୁଟ ବିଶ୍ୱାସ ରଖିଛି ଏବଂ ଯୁବପିଢ଼ିର ସ୍ୱପ୍ନ, ଆଶା ଓ ଆକାଂକ୍ଷାକୁ ସମ୍ମାନ ଦେଇଆସିଛି। ସେମାନେ କେବଳ ଭାରତର ଭବିଷ୍ୟତ ନୁହନ୍ତି; ସେମାନେ ନୂତନ ଓ ବିକଶିତ ଭାରତର ବାହକ, ସୃଷ୍ଟିକର୍ତା ଓ ନିର୍ମାତା। ଗତ ଦଶ ଦିନର ଘଟଣା ମୋତେ ଗଭୀର ଭାବେ ବ୍ୟଥିତ କରିଛି। ଏହା ମୋ ପାଇଁ ବ୍ୟକ୍ତିଗତ ପ୍ରତିଷ୍ଠାର ପ୍ରଶ୍ନ ନୁହେଁ।

ମୋର ଦୃଢ଼ ସଂକଳ୍ପ ହେଉଛି ଦେଶର ଯୁବପିଢ଼ିକୁ କୌଣସି ପ୍ରକାରର ଭ୍ରମ ଓ ବିଭ୍ରାନ୍ତିରେ ପଡ଼ିବାକୁ ଦେବି ନାହିଁ। ଜନ୍ତର ମନ୍ତର ଏବଂ ଦେଶବ୍ୟାପୀ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ବିଚାର କରି, ରାଷ୍ଟ୍ରବିରୋଧୀ ଶକ୍ତିମାନଙ୍କୁ ଏହାର ସୁଯୋଗ ନେବାରୁ ରୋକିବା, ଜାତୀୟ ଏକତାକୁ ସୁରକ୍ଷିତ ରଖିବା, କୌଣସି ଭାରତୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଇନଗତ ଜଟିଳତାରେ ଫସିବାରୁ ବଂଚାଇବା ଏବଂ ସେମାନଙ୍କୁ ନିଜ ପାଠପଢ଼ା ଓ କ୍ୟାରିୟର ଗଠନରେ ମନୋନିବେଶ କରିବାର ସୁଯୋଗ ଦେବା ଉଦ୍ଦେଶ୍ୟରେ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିକଟରେ ମୋର ଇସ୍ତଫା ପତ୍ର ଦାଖଲ କରିଛି।

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ, ବିଶ୍ୱାସ ଏବଂ ନିରନ୍ତର ସହଯୋଗ ପାଇଁ ମୁଁ ତାଙ୍କ ପ୍ରତି ହୃଦୟରୁ କୃତଜ୍ଞତା ଜଣାଉଛି। ମନ୍ତ୍ରିପରିଷଦର ସମସ୍ତ ସହଯୋଗୀ, ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀ ଏବଂ ଯେଉଁମାନଙ୍କ ସହ କାମ କରିବାର ସୁଯୋଗ ପାଇଛି, ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି।

ଦେଶସେବା ମୋ ଜୀବନର ସର୍ବୋଚ୍ଚ ପ୍ରାଥମିକତା ଥିଲା, ଅଛି ଏବଂ ରହିବ। ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦରେ ମୁଁ ଭବିଷ୍ୟତରେ ମଧ୍ୟ ମାତୃଭୂମି ଭାରତ, ଓଡ଼ିଶାର ଜନସାଧାରଣ ଏବଂ ଦେଶର ଯୁବପିଢ଼ିଙ୍କ ଆକାଂକ୍ଷା ପୂରଣ ପାଇଁ ନିଜକୁ ସମର୍ପିତ ରଖିବି।

ସୂଚନାଯୋଗ୍ୟ ଯେ ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ କକ୍ରୋଚ୍ ଜନତା ପାର୍ଟି' ପକ୍ଷରୁ ଜନ୍ତର ମନ୍ତର ଠାରେ ଏକ ବିରୋଧ ପ୍ରଦର୍ଶନ ସହ ସରକାରଙ୍କ ନିକଟରେ ୩ଟି ଦାବି ରଖିଥିଲେ। ସେଥିମଧ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ଜୀବନ ହାରିଥିବ ନିଟ୍ ଆଶାୟୀଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ଓ ଆନ୍ଦୋଳନରତ ଛାତ୍ରମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ଦାବି ରଖିଥିଲା ସିଜେପି। ଏହି ବିରୋଧକୁ ସମର୍ଥନ ଜଣାଇ ଦେଶର ବିଭିନ୍ନ ସହରରେ ଛାତ୍ର ଆନ୍ଦୋଳନ ଦେଖିବାକୁ ମିଳିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande