
ଜୟପୁର, ୨୬ ଜୁଲାଇ (ହି.ସ.)- ଏଆଇଟିୟୂସି ର ପ୍ରଥମ ଜିଲ୍ଲା ସମ୍ମିଳନୀ ଶ୍ରମିକ କର୍ମଚାରୀ ଭବନ ସମ୍ମୁଖରେ ବୟୋଜ୍ୟେଷ୍ଠ ଶ୍ରମିକ ନେତା ଯୁଧିଷ୍ଠିର ରାଉଳଙ୍କ ଦ୍ଵାରା ଲାଲ୍ ପତାକା ଉତ୍ତୋଳନ ସହ ଆରମ୍ଭ ହୋଇଥିଲା । ସମ୍ମିଳନୀ ର ସଭାକାର୍ଯ୍ୟ ଯୁଧିଷ୍ଠିର ରାଉଳଙ୍କ ଅଧ୍ୟକ୍ଷତାରେ ଶ୍ରୀମତୀ ଯମୁନା ଭୂମିଆ, ପ୍ରମୋଦ କୁମାର ତିୱାରୀଙ୍କୁ ନେଇ ଗଠିତ ତିନି ଜଣିଆ ସଭାପତି ମଣ୍ଡଳୀ ପରିଚାଳନା କରିଥିଲେ । ପ୍ରଥମେ ଦିବଙ୍ଗତ ଶ୍ରମିକ ନେତା ଓ କର୍ମୀ ମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ସମ୍ମିଳନୀର ଉଦ୍ଦେଶ୍ୟ ସମ୍ଵନ୍ଧରେ ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି ସୂଚନା ଦେଇ କହିଥିଲେ ଯେ, ୧୯୨୦ ମସିହା ଅକ୍ଟୋବର ୩୧ ତାରିଖ ରେ ସଂଗଠିତ ହୋଇଥିଲା ଏବଂ ଏହାର ପ୍ରଥମ ସଭାପତି ମହାନ୍ ସ୍ଵାଧୀନତା ସଂଗ୍ରାମୀ ଲାଲା ଲଜପତ୍ ରାୟ ହୋଇଥିଲେ । ଏଆଇଟିୟୂସି ର ସଭାପତି ଆସନ ପଣ୍ଡିତ ଜବାହରଲାଲ ନେହେରୁ, ସୁବାଷ ଚନ୍ଦ୍ର ବୋଷ,ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ, ଏସ୍ ଏ ଡାଙ୍ଗେ ପ୍ରମୁଖ ଅଳଙ୍କୃତ କରିଥିଲେ । ସ୍ୱାଧୀନତା ର ଅଗ୍ନି ଗର୍ଭରୁ ଜାତ ଏଆଇଟିୟୂସି ଭାରତବର୍ଷ ର ସକଳ ବର୍ଗର ଶ୍ରମିକ ମାନଙ୍କ ଦାବି ନେଇ ଲଢେଇ କରି ଅନେକ ଆଇନ, ସାମାଜିକ ସୁରକ୍ଷା ଆଇନ ଲାଗୁ କରିବାରେ ସଫଳ ହୋଇଥିଲା ଯାହାକୁ ଆଜି ମୋଦୀ ସରକାର ପଦଦଳିତ କରିବାରେ ଲାଗିଛି। କୋରାପୁଟ ଜିଲ୍ଲାରେ ଏଆଇଟିୟୂସି ଅନେକ ଶ୍ରମିକ ଆନ୍ଦୋଳନ ସହିତ ସଫଳ ଯୋଗଦାନ କରିଛି । ସେବା କାଗଜ କଳ ପୁନରୁଦ୍ଧାର ଆନ୍ଦୋଳନ, ମୋଟର କର୍ମଚାରୀ ସଂଘ, ଅସଙ୍ଗଠିତ କ୍ଷେତ୍ରରେ ପାଚିକା ସହାୟିକା, ନିର୍ମାଣ ଶ୍ରମିକ, ଅଟୋ ଚାଳକ, ଦିନ ମଜୁରିଆ ସଂଘକୁ ନେଇ ପ୍ରଥମ ଥର ପାଇଁ ଜିଲ୍ଲା ସମ୍ମିଳନୀ କରି ନେତୃତ୍ୱ ଗଠନ କରାଯାଇଛି। ଆସନ୍ତା ୩୧ ଅକ୍ଟୋବରରୁ ନଭେମ୍ବର ୨, ୩, ତିନି ଦିନ ଧରି ତାଳଚେର ଠାରେ ହେବାକୁ ଥିବା ରାଜ୍ୟ ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରତିନିଧି ଚୟନ ହୋଇଛି । ଆଜିର ସମ୍ମିଳନୀକୁ ସିପିଆଇ ଜିଲ୍ଲା ସମ୍ପାଦକ ରାମକୃଷ୍ଣ ଦାସ ସମ୍ବର୍ଦ୍ଧନା ଜଣାଇଥିଲେ । ସମ୍ମିଳନୀରେ ବିଦ୍ୟୁତ୍ ଫେଡେରେସନ୍ ର ଆଶିଷ୍ ତ୍ରିପାଠୀ, ସେବା କାଗଜ କଳର ପ୍ରମୋଦ ତିୱାରୀ, ବସନ୍ତ ବେହେରା, ପାଚିକା ସହାୟିକା ସଂଗଠନର ଶ୍ରୀମତୀ ଯମୁନା ଭୂମିଆ, ଉତ୍ତମ ମଲ୍ଲିକ, ମୋଟର କର୍ମଚାରୀ ଭୁବନ କମାର, ସିପିଆଇ ନେତା ବୁଦ୍ରା ବଡନାୟକ ପ୍ରମୁଖ ଉଦବୋଧନ ଦେଇଥିଲେ । କେନ୍ଦ୍ର ର ମୋଦୀ ସରକାର ଓ ରାଜ୍ୟର ମୋହନ ମାଝୀ ସରକାରଙ୍କ ଜନ ବିରୋଧି ନୀତି ବିରୁଦ୍ଧରେ ଲଢେଇକୁ ଜୋରଦାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ନିଟ୍ -ୟୁଜିସି ଘୋଟାଲାରେ ଜନ୍ତର ମନ୍ତର ଛାତ୍ର ଆନ୍ଦୋଳନକୁ ଦେଶବ୍ୟାପୀ ଜନ ଆନ୍ଦୋଳନରେ ପରିଣତ କରିବାରେ ଏଆଇଟିୟୂସି ସହାୟକ ହୋଇଛି ଏବଂ ଏହି ଆନ୍ଦୋଳନ ପ୍ରମାଣ କରିଛି ଯେ, ମୋଦୀ ସରକାର ବିରୁଦ୍ଧରେ ଆଘାତକାରୀ ଐକ୍ୟବଦ୍ଧ ଶକ୍ତି ସୃଷ୍ଟି ହୋଇପାରିବ ଏବଂ ଶ୍ରମିକ ମାନେ ଏଥିରୁ ଅନୁପ୍ରାଣିତ ହେବା ଉଚିତ୍ । ସମ୍ମିଳନୀରେ ପ୍ରସ୍ତାବ ନିଆଯାଇଛି ଯେ, ସେବା କାଗଜ କଳ ପୁନରୁଦ୍ଧାର ଏବଂ ସମସ୍ତ ଶ୍ରମିକଙ୍କ ସମସ୍ୟା ସମାଧାନ ପାଇଁ ଆନ୍ଦୋଳନକୁ ତ୍ୱରାନ୍ୱିତ କରାଯିବ । ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ପ୍ରଦାନ କରିବା, ସବୁ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ଓ ଶିଳ୍ପରେ ସର୍ବନିମ୍ନ ମଜୁରୀ ଲାଗୁ କରିବା, ସାମାଜିକ ସୁରକ୍ଷା ରେ ଶ୍ରମିକ ମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ଥାନୀୟ କ୍ଷେତ୍ରରେ ଅଭିଯାନ ଜାରି ରହିବ । ଆଜିର ସମ୍ମିଳନୀରେ ଏକୋଇଶି ଜଣିଆ ଜିଲ୍ଲା ପରିଷଦ ଗଠିତ ହୋଇଛି। ଯୁଧିଷ୍ଠିର ରାଉଳ ସଭାପତି ଓ ପ୍ରମୋଦ କୁମାର ମହାନ୍ତି ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ଉତ୍ତମ ମଲ୍ଲିକ ସଂଗଠନ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବେ ଶ୍ରୀମତୀ ଯମୁନା ଭୂମିଆ, ଶୁକୁ ଖୀନବୁଡି, ବସନ୍ତ ବେହେରା, ରାମକୃଷ୍ଣ ଦାସ, ଯୁଗ୍ମ ସମ୍ପାଦକ ଭାବେ ପ୍ରମୋଦ କୁମାର ତିୱାରୀ, ତିରୁପତି ମାଳୀ,ଭୁଵନ କମାର, କୋଷାଧ୍ୟକ୍ଷ ଭାବେ କେ ସତ୍ୟନାରାୟଣ ନିର୍ବାଚିତ ହୋଇଥିଲେ । ରାଜ୍ୟ ସମ୍ମିଳନୀକୁ ତିନି ଜଣ ପ୍ରତିନିଧି ଯିବା ପାଇଁ ସ୍ଥିର ହୋଇଛି। ଶେଷରେ ପତାକା ଅବରୋହଣ କରି ସମ୍ମିଳନୀ ସମାପିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି