
ଜୟପୁର, ୨୬ ଜୁଲାଇ (ହି.ସ.)- ଜୟପୁର-ନବରଙ୍ଗପୁର ରେଳପଥ ପାଇଁ ହେଉଥିବା ଜମି ଅଧିଗ୍ରହଣରେ ପାତର ଅନ୍ତର ହେଉଥିବା ଅଭିଯୋଗ ବାଢ଼ିଛି ବିଜେଡ଼ି । ଦଳ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ କୁହାଯାଇଛି ଯେ, ଏହି ପ୍ରକଳ୍ପର ଜମି ଅଧିଗ୍ରହଣ ବେଳେ ନବରଙ୍ଗପୁର ଜିଲ୍ଳାର ଜମି ହରାଉଥିବା ମାଲିକଙ୍କୁ ଅଧିକ ଜମି ଦେୟ ଦିଆଯାଇଥିବା ବେଳେ କୋରାପୁଟ ଜିଲ୍ଳାର ଜମି ମାଲିକଙ୍କୁ ବହୁ କମ୍ ପରିମାଣର ଟଙ୍କା ପଇଠ କରାଯାଇଛି । ଯଦ୍ୱାରା ବହୁ ଜମି ମାଲିକ ଏବେ ଜମି ହରାଇ ସର୍ବସ୍ୱାନ୍ତ ହେବାକୁ ବସିଥିବା ବେଳେ ସେମାନେ ସେମାନଙ୍କ ଜମିର ଉଚିତ ପ୍ରାପ୍ୟ ପାଇ ପାରିନାହାନ୍ତି । ଯଦି ସରକାର ସେମାନଙ୍କ ଉଚିତ ପ୍ରାପ୍ୟ ପାଇଁ ପଦକ୍ଷେପ ନ ନିଅନ୍ତି ତେବେ ବିଜେଡ଼ି ଆନ୍ଦୋଳନ କରିବ ଏବଂ ରେଳପଥ କାମ ଆଗେଇବାକୁ ଦେବନି ବୋଲି ଦଳ ପକ୍ଷରୁ ଜାତୀୟ ମୁଖପାତ୍ର ପ୍ରଦୀପ ମାଝି ଏବଂ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ଉପସଭାପତି ରବି ନାରାୟଣ ନନ୍ଦ ମିଳିତ ଭାବେ ଆଜି କହିଛନ୍ତି ।
ସ୍ଥାନୀୟ ଏକ ହୋଟେଲ୍ ରେ ସାମ୍ବାଦିକ ସମ୍ମିଳନୀ କରି ଉଭୟ ନେତା କହିଛନ୍ତି ଯେ, ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ରେଳ ବିଭାଗ ଏବଂ ରାଜ୍ୟ ସରକାରଙ୍କ ବାଣିଜ୍ୟ ପରିବହନ ବିଭାଗ ମଧ୍ୟରେ ଏକ ଚୁକ୍ତି ୨୦୧୬ ମସିହାରେ ହୋଇଥିଲା । ଏଥିରେ କୁହାଯାଇଥିଲା ଯେ, ରାଜ୍ୟ ସରକାର ପ୍ରକଳ୍ପ ପାଇଁ ମାଗଣା ଜମି ଦେବା ସହ ପ୍ରକଳ୍ପ ଖର୍ଚ୍ଚ ଉଭୟ ସରକାର ସମାନ ଅଂଶ ଖର୍ଚ୍ଚ କରିବେ । ଏହାକୁ ଆଧାର କରି ରାଜ୍ୟ ସରକାର ୨୦୨୦ ମସିହାରୁ ଜମି ଅଧିଗ୍ରହଣ କାର୍ଯ୍ୟ ହାତକୁ ନେଇଥିଲେ । ପ୍ରଥମ କରି ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରଥମେ ସାମାଜିକ ପ୍ରଭାବ ନିର୍ଦ୍ଧାରଣ ନିମନ୍ତେ ଅଧିସୂଚନା ଜାରି କରିଥିଲା । ଯେଉଁଥିରେ ପ୍ରକଳ୍ପ ପ୍ରଭାବିତ ଗ୍ରାମ ଗୁଡ଼ିକର ପରାମର୍ଶକ୍ରମେ ଭୂମି ଅଧିଗ୍ରହଣ କରିବାକୁ ଅଂଚଳର ସାମାଜିକ ପ୍ରଭାବ ନିର୍ଦ୍ଧାରଣ ଚାଲିଥିଲେ । ସର୍ବେକ୍ଷଣଟି ଭୂମି ଅର୍ଜନ, ପୁନର୍ବାସ ଓ ଥଇଥାନରେ ଉଚିତ ମୂଲ୍ୟ ଏବଂ ସ୍ୱଚ୍ଛତା ଅଧିକାର ଆଇନ ୨୦୧୩ର ଧାରା ୪ ଅନୁଯାୟୀ କରାଯାଇଥିଲା । ଯେଉଁଥିରେ କୋରାପୁଟ ଜିଲ୍ଳାର ଜୟପୁର ବ୍ଳକର ବଡ଼କାଉଡ଼ି, ମଜୁରମୁଣ୍ଡା, ଆମ୍ବାଗୁଡ଼ା, ହରଡ଼ାପୁଟ, ହଡ଼ପା, ଜୟନ୍ତଗିରି, ବୋରିଗୁମ୍ମା ବ୍ଳକର ଦୁଲାଗୁଡ଼ା, ବୋରିଗୁମ୍ମା, ଝିଲିମିଲି, କୁନ୍ଦ୍ରାଗୁଡ଼ା, ଅଂଚଳା, ପର୍ଲି, କାମରା, କନେଇଜୁବା, କାଳିଆଗୁଡ଼ା, ମଝିଆ, ଆଁଉଳି, ବରିଗାଁର ମୋଟ ୭୩୨.୩୩୫ ଘରୋଇ ଜମି ରହିଥିଲା ଏବଂ ଏହି ଜମିର ମାଲିକ ମାନେ ଏବେ କ୍ଷତିରେ ପଡିଛନ୍ତି । କାରଣ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ତହସିଲର ଦହିବଟା, ନୂଆଗଡ଼, ଗାଦବାଗୁଡ଼ା, ନବରଙ୍ଗପୁର, ସିନ୍ଧିଗାଁ ଏବଂ କେଶରୀଗୁଡ଼ାର ଅଧିଗୃହିତ ହୋଇଥିବା ୧୪୫.୬୪୩୦ ଏକର ଜମିର ମାଲିକମାନେ କୋରାପୁଟ ଜିଲ୍ଲା ଅପେକ୍ଷା ଅଧିକ ଦରରେ କ୍ଷତିପୂରଣ ପାଇଛନ୍ତି । ବିଜେଡ଼ିର ଅଭିଯୋଗ ଅନୁସାରେ ନବରଙ୍ଗପୁର ଜିଲ୍ଲାର ଅନେକ ଲୋକ ଏକର ପିଛା ୭ କୋଟି ଏବଂ ୩.୫ କୋଟି ଟଙ୍କା ଦରରେ କ୍ଷତିପୂରଣ ପାଇଥିବା ବେଳେ ଜୟପୁର ଏବଂ ବୋରିଗୁମ୍ମା ବ୍ଲକ ଜମିହରାମାନେ ଦୁଇ ଏବଂ ତିନି ଲକ୍ଷ ଟଙ୍କା ହାରରେ ପାଉଣା ପାଇଛନ୍ତି । ତେଣୁ ଏ କ୍ଷେତ୍ରରେ ସଂପୂର୍ଣ୍ଣ ଅନ୍ୟାୟ ହୋଇଛି ଏବଂ ଏହାର ପୁର୍ନବିଚାର ଆବଶ୍ୟକ । ରାଜ୍ୟ ସରକାର ଏହାକୁ ତର୍ଜମା କରି ତୁରନ୍ତ ଏହି ଜମିହରା ମାନଙ୍କୁ କ୍ଷତିପୂରଣ ଦେବା ଆବଶ୍ୟକ ବୋଲି ଦଳ ପକ୍ଷରୁ ଆଜି କୁହାଯାଇଛି । ଏ ସଂପର୍କରେ ସେମାନଙ୍କ ପକ୍ଷରୁ ବୋରିଗୁମ୍ମା ଏବଂ ଜୟପୁର ତହସିଲଦାରଙ୍କୁ ଅବଗତ କରାଯାଇ ପୁଣି ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କୁହାଯାଇଛି ।
ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲା ବିଜେଡ଼ି ସଭାପତି ଦୁର୍ଗା ମିଶ୍ର, ବରିଷ୍ଠ ନେତା ସରୋଜ ପାତ୍ର, ନାଗରାଜ ଦୋରା, ଶିବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି