ବିପଦସଙ୍କୁଳ ଠେଲାକୋବୁଡ଼ ବ୍ରିଜ୍ : ଶୀଘ୍ର ମରାମତି ଓ ଆବଶ୍ୟକ ସ୍ଥଳେ ନୂତନ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି
Demand to construction of bridge
Construction of bridge


ଝାରସୁଗୁଡ଼ା, ୨୬ ଜୁଲାଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ଲଇକେରା–କିର୍ମିରା ମୁଖ୍ୟ ସଡ଼କକୁ ସଂଯୋଗ କରୁଥିବା ଠେଲାକୋବୁଡ଼ ନିକଟସ୍ଥ ବ୍ରିଜ୍ ବର୍ତ୍ତମାନ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଦୀର୍ଘଦିନ ଧରି ବ୍ରିଜର ମରାମତି କିମ୍ବା ପୁନରୁଦ୍ଧାର ନ ହେବାରୁ ସ୍ଥାନୀୟ ଲୋକ ଓ ପଥଚାରୀମାନେ ନିତିଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନର ଅବହେଳା ଯୋଗୁଁ ସମସ୍ୟା ଦିନକୁ ଦିନ ଗୁରୁତର ହେଉଥିବା ଅଭିଯୋଗ ହୋଇଛି।

ସ୍ଥାନୀୟ ସୂଚନା ଅନୁଯାୟୀ, ବ୍ରିଜଟି ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଥିବା ବେଳେ ଏହାର ଉପରିଭାଗ ଖାଲଖମାରେ ପରିପୂର୍ଣ୍ଣ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ବ୍ରିଜ ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ତଦୁପରି ବ୍ରିଜର ଉଭୟ ପାର୍ଶ୍ୱରେ ସୁରକ୍ଷା ବାଡ଼ ନ ଥିବାରୁ ଦୁର୍ଘଟଣା ଆଶଙ୍କା ବଢ଼ିଯାଇଛି। ବର୍ଷା ସମୟରେ ବ୍ରିଜ ପାଣିରେ ବୁଡ଼ି ରହୁଥିବାରୁ ଯେକୌଣସି ସମୟରେ ବଡ଼ ଧରଣର ଅଘଟଣ ଘଟିପାରେ ବୋଲି ସ୍ଥାନୀୟବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଠେଲାକୋବୁଡ଼ ଓ ଆଖପାଖ ଅଞ୍ଚଳର ଲୋକମାନେ ବାରମ୍ବାର ପ୍ରଶାସନଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛନ୍ତି। କୌଣସି ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ବ୍ରିଜର ମରାମତି ସହ ଆବଶ୍ୟକ ହେଲେ ନୂତନ ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଲେଙ୍କାଙ୍କ ପ୍ରତିକ୍ରିୟା ନେବା ପାଇଁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ସହ ସମ୍ପର୍କ ସ୍ଥାପନ ସମ୍ଭବ ହୋଇପାରି ନଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande