
ଝାରୁସୁଗୁଡ଼ା, ୨୬ ଜୁଲାଇ (ହି.ସ.)- ହୀରାକୁଦ ବୁଡ଼ି ଅଞ୍ଚଳରେ ରବିଧାନ କ୍ରୟ ପ୍ରକ୍ରିୟାରେ ଅବ୍ୟବସ୍ଥା ଯୋଗୁଁ ଅନେକ ଚାଷୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସମବାୟ ସମିତି ମାଧ୍ୟମରେ ନିୟମିତ ପଞ୍ଜିକରଣ କରିଥିଲେ ମଧ୍ୟ ସମୟରେ ଟୋକନ ନ ମିଳିବାରୁ ପ୍ରାୟ ୭୫ ଜଣ ଚାଷୀ ଏପର୍ଯ୍ୟନ୍ତ ରବିଧାନ ବିକ୍ରି କରିପାରି ନାହାନ୍ତି। ଏହାଫଳରେ ବର୍ଷା ଋତୁରେ ଖୋଲା ଆକାଶ ତଳେ ଗଚ୍ଛିତ ଧାନ ନଷ୍ଟ ହେବାର ଆଶଙ୍କା ବଢ଼ିବା ସହ ଚାଷୀଙ୍କ ଚିନ୍ତା ଦ୍ୱିଗୁଣିତ ହୋଇଛି।
ସୂଚନା ଅନୁଯାୟୀ, ରାଜ୍ୟ ଯୋଗାଣ ବିଭାଗର ବିଜ୍ଞପ୍ତି ଅନୁସାରେ ହୀରାକୁଦ ବୁଡ଼ି ଅଞ୍ଚଳର ୭୯୬ ଜଣ ଚାଷୀ ରବିଧାନ ବିକ୍ରି ପାଇଁ ସମବାୟ ସମିତିରେ ପଞ୍ଜିକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଟୋକନ ପାଇ ମଣ୍ଡିରେ ଧାନ ବିକ୍ରି କରିଥିବାବେଳେ ପ୍ରାୟ ୭୫ ଜଣ ଚାଷୀ ଏପର୍ଯ୍ୟନ୍ତ ଟୋକନ ପାଇନାହାନ୍ତି। ଫଳରେ ସେମାନେ ଆର୍ଥିକ ସଙ୍କଟରେ ପଡ଼ିଥିବା ଅଭିଯୋଗ କରିଛନ୍ତି। ଲଖନପୁର ବ୍ଲକ ଭିକମପାଲି ସମବାୟ ସମିତି ଅଧୀନ ପଲସଦା ଗ୍ରାମର ଚାଷୀ ଅଦ୍ୱୈତ ମେହେର, ମଣିରାମ ସା, ଗୋପାଳ ମେହେର, ଜୟ କୁମାର ସା ଓ ଦେବାନନ୍ଦ ସାଙ୍କର ୮୦୦ରୁ ଅଧିକ ବସ୍ତା ଧାନ ଏପର୍ଯ୍ୟନ୍ତ ବିକ୍ରି ହୋଇପାରିନାହିଁ। ଘରେ ସ୍ଥାନ ଅଭାବରୁ ସେମାନେ ବାଧ୍ୟ ହୋଇ ଟ୍ରାକ୍ଟର ଟ୍ରଲି ଓ ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଧାନବସ୍ତା ରଖିଛନ୍ତି। ଲଗାଣ ବର୍ଷା ଜାରି ରହିଥିବାରୁ ଖୋଲା ସ୍ଥାନରେ ଥିବା ଧାନର ଗୁଣବତ୍ତା ହ୍ରାସ ପାଇବା ସହ ବ୍ୟାପକ କ୍ଷତି ହେବାର ଆଶଙ୍କା ସୃଷ୍ଟି ହୋଇଛି। ଗୋଟିଏ ପଟେ ଖରିଫ ଧାନ ରୁଆ କାମ ଓ ଅନ୍ୟପଟେ ଅମଳ ହୋଇଥିବା ରବିଧାନ ବିକ୍ରି ହୋଇନପାରିବାରୁ ଚାଷୀମାନେ ମାନସିକ ଓ ଆର୍ଥିକ ଚାପରେ ରହିଛନ୍ତି। ପ୍ରଶାସନିକ ସମନ୍ୱୟର ଅଭାବ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଟୋକନ ବଞ୍ଚିତ ଚାଷୀଙ୍କୁ ସ୍ୱତନ୍ତ୍ର ଭାବେ ଟୋକନ ପ୍ରଦାନ କରି ଅବଶିଷ୍ଟ ରବିଧାନ କ୍ରୟ ପାଇଁ ଯୋଗାଣ ବିଭାଗ ଓ ଜିଲ୍ଲା ପ୍ରଶାସନ ତତ୍ପରତାର ସହ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ