
ସରଗାଡ ଓ ସାନଝାଙ୍କରପାଲି ଗ୍ରାମର ୧୫ ପରିବାର ଜଳବନ୍ଦୀ
ବଲାଙ୍ଗୀର, ୨୬ ଜୁଲାଇ(ହି.ସ.) – ଶନିବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକର ଉପରବାହାଲ ଠାରୁ ରେଙ୍ଗାଲିକୁ ଥିବା ପିଡବ୍ଲୁଡ଼ି ରାସ୍ତାର ଜାମଜୁରି ଗ୍ରାମ ନିକଟରେ ରାସ୍ତା ଉପରେ ୨ ଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉପରବାହାଲ- ରେଙ୍ଗାଲି ରାସ୍ତା ବିଚ୍ଛିନ୍ନ ହୋଇପଡିଛି। ଫଳରେ ରାସ୍ତାର ଉଭୟ ପଟରେ ଯାନବାହାନ ଅଟକି ରହିଛି। ସେହିପରି ସରଗାଡ ଗ୍ରାମର ଗୋପାଳଜୀ ପଡାରେ ରହୁଥିବା ୧୨ ଆଦିବାସୀ ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ରାତିରୁ ଅନେକ ଘରକୁ ବର୍ଷାପାଣି ପ୍ରବେଶ କରିଛି। ସରଗାଡରୁ ଉପରବାହାଲ ଗ୍ରାମକୁ ଥିବା ରାସ୍ତାରେ ଆବଶ୍ୟକ ପୋଲ ନ ଥିବାରୁ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ଘର ଭିତରକୁ ବନ୍ୟାପାଣି ପଶିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେହିପରି ସାନ ଝାଙ୍କରପାଲି ଗ୍ରାମର ତିନୋଟି ଘରକୁ ବନ୍ୟାଜଳ ପଶିଥିବା ବେଳେ ଦୁଇଜଣଙ୍କ ଘର ଭାଙ୍ଗିଥିବା ଜଣାଯାଇଛି। ଆଗକୁ ବର୍ଷା ବଢିବାର ଆଶଙ୍କା ଥିବାରୁ ବନ୍ୟା ବିପନ୍ନଙ୍କୁ ତ୍ୱରିତ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖିବାକୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସକାଶେ ସରଗାଡ ସମିତି ସଭ୍ୟ ବିରେନ୍ଦ୍ର ସାହୁ ଦାବି କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ