

କନ୍ଧମାଳ, ୨୬ ଜୁଲାଇ (ହି.ସ.)- ସ୍ଥାନୀୟ ମୂଖ୍ୟ ଚିକିତ୍ସାଳୟ ପରିସରରେ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପାଇଁ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ସହରର ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେଇ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ସେଥି ମଧ୍ୟରେ ଡାକ୍ତରଖାନାରେ ଏକ ଜେରିଏଟ ୱାର୍ଡ ଖୋଲିବା, ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରିବା, ହୃଦରୋଗୀ ମାନଙ୍କ ପାଇଁ ବିଶେଷଜ୍ଞ ମାସକୁ ଅନ୍ୟୁନ ଦୁଇଦିନ ଆସିବା ବ୍ୟବସ୍ଥା କରିବା, ବିଭିନ୍ନ ୱାର୍ଡରେ ବ।ତାନୁକୁଳିନ ବ୍ୟବସ୍ଥା କରିବା ଆଦି ଅନ୍ତର୍ଭୁକ୍ତ । ଡାକ୍ତର ପାଢ଼ୀ ଏସବୁ ଦାବି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଡାକ୍ତରଖାନାରେ ପ୍ରଥମ କରି ମ୍ୟୁଜିକ ଥେରାପୀ, ଅଖଣ୍ଡଦୀପ ଓ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ଡାକ୍ତର ପାଢ଼ୀ ଆରମ୍ଭ କରିଥିଲେ। ତେବେ ଅଖଣ୍ଡଦୀପକୁ ସବୁଦିନ ପାଇଁ ପ୍ରଜ୍ୱଳନ ରଖିବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଆଲୋଚନାରେ ବରିଷ୍ଠ ଆଇନଜୀବୀ ଅଶୋକ ବେହେରା, ବିଜୟକୃଷ୍ଣ ପଟ୍ଟନାୟକ, ପ୍ରତାପ ପାତ୍ର, ବରିଷ୍ଠ ନାଗରିକ ସର୍ବେଶ୍ୱର ମିଶ୍ର, ବରିଷ୍ଠ ସାମ୍ବାଦିକ ସୁବାସ ଚନ୍ଦ୍ର ପ୍ରଧାନ, ପ୍ରଶାନ୍ତ କୁୁମାର ବେହେରା ଅନ୍ୟାନ୍ୟ ସମାଜିକ କର୍ମୀ ଭାଗ ନେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ