
ଭଦ୍ରକ, ୨୬ ଜୁଲାଇ (ହି.ସ.)- ଉପରମୁଣ୍ଡରେ କ୍ରମାଗତ ବର୍ଷା ଯୋଗୁ କପାଳୀ ନଦୀର ଜଳ ସ୍ତର ବୃଦ୍ଧି ପାଇ ନଦୀ ତଟବର୍ତୀ ଗ୍ରାମ ରାସ୍ତା ଗୁଡିକ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଚାଷ ଜମି ଜଳ ମଗ୍ନ ହୋଇ ତଳି ନଷ୍ଟ ହୋଇଥିବାର ଦେଖାଯାଇଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଦେଇ ସାଳନ୍ଦୀକୁ ଛାଡି କପାଳୀ ଓ ସରୁ ସାଗର ପରି ଛୋଟ ନଦୀ ପ୍ରଭାବିତ ହେଉଛି । ଏବେ ତିନିଦିନ ଧରି ଲଗାଣ ବର୍ଷାରେ କପାଳୀ ନଦୀର ଜଳସ୍ତର ବୃଦ୍ଧି ପାଇ ରାମଚନ୍ଦ୍ରପୁର ପାନପଦୀ ରାସ୍ତା ବୁଡି ଯାଇଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ନିମାପଡା ବର୍ଚ୍ଚିକୟାଁ ରାସ୍ତାର ପଚାଂୟତ ପାଶ୍ୱର୍ ରାସ୍ତା, ବର୍ଚ୍ଚିକୟାଁ ଗୋବିନ୍ଦପୁର ରାସ୍ତା ଉପରେ ପାଣି ଚାଲି ରାସ୍ତା ଗୁଡିକ ନଷ୍ଟ ହୋଇଯାଇଥିବା ଦେଖାଦେଇଛି । ଏତଦ୍ଭିନ୍ନ ପୋଡାପାଟଣା, ସାଳକଣିଆ ରାସ୍ତା ଉପରେ ପାଣି ଠିଆ ହୋଇଥିବାର ଦେଖାଯାଇଛି । ଅନ୍ୟପକ୍ଷରେ ବନ୍ତ, ରାମଚନ୍ଦ୍ରପୁର, ଟିଲୋ, ଛୟାଳସିଂ, ଗଣିଜାଙ୍ଗ, ରାମପୁର, ରାମକୃଷ୍ଣପୁର ଭଳି ନଦୀ ସଂଲଗ୍ନ ପଚାଂୟତ ଗ୍ରାମ ଗୁଡିକ ଆଗକୁ ଜଳବନ୍ଦୀ ହେବାର ଆଶଙ୍କା ସୃଷ୍ଟି ହୋଇଛି । ବିଶେଷକରି ନଦୀ ତଟବର୍ତୀ ଗ୍ରାମବାସୀ ପ୍ରତ୍ୟେକ ବର୍ଷ କପାଳୀ ନଦୀର ବଢି ପାଣିରେ ହନ୍ତସନ୍ତ ହେଉଥିବା ବେଳେ ଦଳ ସଫା , ନଦୀ ଖନନ ସହ ରାସ୍ତା ମରାମତି ପାଇଁ ସ୍ଥାନୀୟ ସରପଚଂ ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ, ପୂର୍ବତନ ସରପଚଂ ତଥା ବରିଷ୍ଠ ବିଜେପି ନେତା ପୂର୍ଣ୍ଣଚନ୍ଦ୍ର ରାଉତ, ବିଜେପି ପଚାଂୟତ ସଭାପତି ସୁରେଶ ବିଶ୍ୱାଳ, ରଞ୍ଜିତ ନାୟକ, ଗଣେଶ ବିଶ୍ୱାଳ ପ୍ରମୁଖଙ୍କ ସମେତ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ