ଆଇନ୍ ସେବା ପ୍ରାଧୀକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ
Legal awareness programme in Jharsuguda
Legal awareness programme


ଝାରସୁଗୁଡ଼ା, ୨୬ ଜୁଲାଇ (ହି.ସ.) - ଝାରସୁଗୁଡା ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ଝାରସୁଗୁଡ଼ା ପକ୍ଷରୁ ରବିବାର ଲଖନପୁର ବ୍ଲକ୍ ଅନ୍ତର୍ଗତ ଅତାବିରା ପଂଚାୟତର ଡୁମେରଢିପା ଗ୍ରାମ କଲ୍ୟାଣ ମଣ୍ଡପ ଠାରେ ଏକ ବୃହତ୍ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାୟକ ଯୋଗଦେଇ ଦାରିଦ୍ର୍ୟ ଦୂରୀକରଣ ଯୋଜନାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଯୋଜନା, ୨୦୧୫ ଏବଂ ମାଗଣା ଆଇନ୍ ସେବା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ମଧ୍ୟସ୍ଥତା ଓ ଲୋକ ଅଦାଲତ ମାଧ୍ୟମରେ ବିଭିନ୍ନ ମାମଲାର ସହଜ ଓ ଶୀଘ୍ର ସମାଧାନ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।ଏହି ସଚେତନତା କାର୍ଯ୍ୟାକ୍ରମରେ ଅନ୍ୟାନ୍ୟ ବିଚାର ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସ୍ମୃତି ରଞ୍ଜନ ମହାପାତ୍ର, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଆଲୋକମୟୀ ପ୍ରଧାନ, ବରିଷ୍ଠ ଦେୱାନି ବିଚାରପତି ଡ. ସନ୍ଧ୍ୟା ରଥ, କନିଷ୍ଠ ବିଚାରପତି ତଥା ଲଖନପୁର ଜେଏମ୍ଏଫ୍ସି ଜୟା ରାଏ, ଏବଂ ଲଖନପୁର ଗ୍ରାମ୍ୟ ନ୍ୟାୟାଳୟର ନ୍ୟାୟାଧିକାରୀ ଅପର୍ଣ୍ଣା ସାହୁ ପ୍ରମୁଖ ଯୋଗ ଦେଇ ବିଭିନ୍ନ ସରକାରୀ ଓ ଆଇନଗତ ଯୋଜନା ବିଷୟରେ ବିଶଦ ଭାବରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରକାରୀ ଓକିଲ ପ୍ରମୋଦ କୁମାର ସେନାପତିଙ୍କ ସମେତ ପ୍ରାଧିକରଣର ପ୍ୟାନେଲ୍ ଓକିଲ ଏବଂ ପାରା ଲିଗାଲ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଶତାଧିକ ମହିଳା ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଏହି ଅବସରରେ ଜନସାଧାରଣଙ୍କ ଠାରୁ ବିଭିନ୍ନ ସମସ୍ୟା ଓ ଅଭିଯୋଗ ପତ୍ର ମଧ୍ୟ ଗ୍ରହଣ କରାଯାଇଥିବା ନେଇ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande