
ଝାରସୁଗୁଡ଼ା, ୨୬ ଜୁଲାଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାରେ ଗତ ୨୪ ଘଣ୍ଟା ଧରି ହୋଇଥିବା ବର୍ଷାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଉଲ୍ଲେଖନୀୟ ବର୍ଷାପାତ ରେକର୍ଡ କରାଯାଇଛି। ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (ଡିଇଓସି) ପକ୍ଷରୁ ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁସାରେ, ଜିଲ୍ଲାରେ ମୋଟ ୯୨.୬ ମିଲିମିଟର ବର୍ଷା ହୋଇଥିବା ବେଳେ ହାରାହାରି ବର୍ଷାର ପରିମାଣ ୧୮.୫୨ ମିଲିମିଟର ରେକର୍ଡ ହୋଇଛି।
ଜିଲ୍ଲାର ପାଞ୍ଚଟି ବ୍ଲକ ଓ ସଦର ଅଞ୍ଚଳର ବର୍ଷା ତଥ୍ୟକୁ ବିଶ୍ଳେଷଣ କଲେ ଲଇକେରା ବ୍ଲକରେ ସର୍ବାଧିକ ୩୧.୧ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ଏହା ପଛକୁ କିର୍ମିରାରେ ୨୨.୩ ମିଲିମିଟର ଓ ଝାରସୁଗୁଡ଼ା ସଦର ଅଞ୍ଚଳରେ ୨୨.୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ଲଖନପୁର ବ୍ଲକରେ ୧୧.୨ ମିଲିମିଟର ଏବଂ କୋଲାବିରା ବ୍ଲକରେ ସର୍ବନିମ୍ନ ୬.୦ ମିଲିମିଟର ବର୍ଷା ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଲଗାତାର ବର୍ଷା ଫଳରେ ଜିଲ୍ଲାର କେତେକ ଅଞ୍ଚଳରେ ପାଗ ମନୋରମ ରହିଥିବାବେଳେ ଚାଷୀମାନଙ୍କ ମଧ୍ୟରେ ମଧ୍ୟ ଆଶା ସଞ୍ଚାର ହୋଇଛି। ବିଶେଷକରି ଧାନ ଚାଷ ପାଇଁ ଏହି ବର୍ଷା ଉପକାରୀ ସାବ୍ୟସ୍ତ ହେବ ବୋଲି କୃଷି କ୍ଷେତ୍ର ସହ ଜଡିତ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି। ତେବେ ନିମ୍ନାଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ପ୍ରଶାସନ ନଜର ରଖିଥିବା ସୂଚନା ମିଳିଛି।
ଡିଇଓସି ପକ୍ଷରୁ ପ୍ରକାଶିତ ବର୍ଷା ତଥ୍ୟ ଅନୁଯାୟୀ, ପାଣିପାଗ ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ନିରନ୍ତର ନଜର ରଖିଛି ଏବଂ ଆବଶ୍ୟକ ସ୍ଥଳେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ