ସ୍ନେହ ସେତୁର ୩୮ତମ ସଫଳ ପରିବାର ମିଳନ: ପଶ୍ଚିମବଙ୍ଗର ବିକ୍ରମ ରାୟ ଫେରିଲେ ନିଜ ଘରକୁ, ଦୁଇ ବର୍ଷ ପରେ ପରିବାର ସହ ହେଲା ପୁନଃମିଳନ
Re union with family members
Reunion


ଝାରସୁଗୁଡ଼ା, ୨୬ ଜୁଲାଇ (ହି.ସ.) - ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ମାନବୀୟ ପ୍ରଚେଷ୍ଟା ‘ସ୍ନେହ ସେତୁ’ ଯୋଜନା ମାଧ୍ୟମରେ ଆଉ ଜଣେ ଅସହାୟ ଯୁବକ ନିଜ ଆପଣାର ଲୋକଙ୍କୁ ଫେରିପାଇଛନ୍ତି। ପଶ୍ଚିମବଙ୍ଗର ବର୍ଦ୍ଧମାନ ଅଂଚଳର ୨୫ ବର୍ଷୀୟ ବିକ୍ରମ ରାୟ, ଯିଏ ୨୦୨୪ ମସିହାରେ ଉଦ୍ଧାର ହୋଇ ଝାରସୁଗୁଡ଼ାସ୍ଥିତ ମିଶନ ଆଶାଲୋକ–୧ରେ ଚିକିତ୍ସା ଓ ପୁନର୍ବାସ ସେବା ପାଉଥିଲେ, ସେ ୨୬ ଜୁଲାଇ ୨୦୨୬ ତାରିଖରେ ସଫଳତାର ସହ ନିଜ ବାପା-ମା'ଙ୍କ ସହ ପୁନଃମିଳିତ ହୋଇଛନ୍ତି।

ଏହି ଭାବବିହ୍ୱଳ ପୁନଃମିଳନ କାର୍ଯ୍ୟକ୍ରମ ଝାରସୁଗୁଡ଼ା ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ କୁଣାଲ ମୋତିରାମ ଚହ୍ୱାଣଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା। ଏହି ଅବସରରେ ସାମାଜିକ ସୁରକ୍ଷା ବିଭାଗର ଅଧିକାରୀବୃନ୍ଦ, ‘ପିପୁଲ୍ସ ଫୋରମ୍’ ଏନଜିଓର ପ୍ରତିନିଧିମାନେ ଏବଂ ମିଶନ ଆଶାଲୋକର କର୍ମଚାରୀମାନେ ଉପସ୍ଥିତ ଥିଲେ। ଦୀର୍ଘ ଦୁଇ ବର୍ଷ ପରେ ପୁଅକୁ ପାଖରେ ପାଇ ବିକ୍ରମଙ୍କ ବାପା-ମା' ଭାବବିହ୍ୱଳ ହୋଇପଡ଼ିଥିଲେ। ଉପସ୍ଥିତ ସମସ୍ତଙ୍କ ପାଇଁ ଏହି ମୁହୂର୍ତ ଅତ୍ୟନ୍ତ ଆବେଗ ପୂର୍ଣ୍ଣ ଏବଂ ସ୍ମରଣୀୟ ଥିଲା।

ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲା ପ୍ରଶାସନର ‘ସ୍ନେହ ସେତୁ’ ଯୋଜନାର ମୂଳ ଲକ୍ଷ୍ୟ ହେଉଛି ସଙ୍କଟାପନ୍ନ, ନିରାଶ୍ରୟ ଓ ନିଖୋଜ ବ୍ୟକ୍ତିମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ଆବଶ୍ୟକ ଚିକିତ୍ସା, ଯତ୍ନ ଓ ପୁନର୍ବାସ ସୁବିଧା ପ୍ରଦାନ କରିବା ସହ ପରବର୍ତୀ ସମୟରେ ସେମାନଙ୍କ ପରିବାର ସହ ପୁନଃମିଳନ କରାଇବା। ଏହି ଉଦ୍ୟମ ମାଧ୍ୟମରେ ଅନେକ ଅସହାୟ ଓ ନିଖୋଜ ବ୍ୟକ୍ତି ନିଜ ପରିବାରକୁ ଫେରିପାରିଛନ୍ତି।

ମାନବିକ ମୂଲ୍ୟବୋଧକୁ ସର୍ବାଗ୍ରେ ରଖି ସମାଜର ଅବହେଳିତ ଓ ଅସହାୟ ବ୍ୟକ୍ତିଙ୍କ ଜୀବନରେ ଆଶାର ଆଲୋକ ଆଣିବା ଦିଗରେ ଏଭଳି ପ୍ରୟାସ ଭବିଷ୍ୟତରେ ମଧ୍ୟ ଜାରି ରହିବ ବୋଲି ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ମତବ୍ୟକ୍ତ କରିଥିଲେ।

‘ସ୍ନେହ ସେତୁ’ ଯୋଜନା ମାନବସେବା କ୍ଷେତ୍ରରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ଏକ ଅଭିନବ ଓ ପ୍ରଶଂସନୀୟ ପଦକ୍ଷେପ ଭାବେ ପରିଗଣିତ ହେଉଛି। ଆଜିର ଏହି ୩୮ତମ ସଫଳ ପରିବାର ମିଳନ କାର୍ଯ୍ୟକ୍ରମ ସହ ‘ସ୍ନେହ ସେତୁ’ ଯୋଜନା ଅଧୀନରେ ଆଜି ପର୍ଯ୍ୟନ୍ତ ସର୍ବମୋଟ ୩୮ଟି ସଫଳ ପରିବାର ର ପୁନଃମିଳନ ସମ୍ପୂର୍ଣ୍ଣ ହୋଇଛି। ଏହି ୩୮ତମ ସଫଳ ପରିବାର ମିଳନ ମାନବିକ ପ୍ରୟାସର ଆଉ ଏକ ଚିରସ୍ମରଣୀୟ ଅଧ୍ୟାୟ ସୃଷ୍ଟି କରିଛି ଏବଂ ସମାଜସେବା ପ୍ରତି ଜିଲ୍ଲା ପ୍ରଶାସନର ଦୃଢ଼ ପ୍ରତିବଦ୍ଧତାର ଆଉ ଏକ ଉଜ୍ଜ୍ୱଳ ଉଦାହରଣ ପାଲଟିଛି ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande