
ଜୟପୁର, ୨୬ ଜୁଲାଇ (ହି.ସ.) - କୋରାପୁଟ ଜିଲ୍ଲା ବୋରିଗୁମ୍ମା ସାଇ ଗାୟତ୍ରୀ ପରିବାର ପକ୍ଷରୁ ଗରିବ ମାଟ୍ରିକ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ଟେଷ୍ଟପେପର ବଂଟନ କରାଯାଇଛି। ବରିଷ୍ଠ ଆଇନଜୀବୀ ତଥା ସାଇ ଗାୟତ୍ରୀ ପରିବାର ର ପ୍ରତିଷ୍ଠାତା ଲାଲୁ ଷଡଙ୍ଗୀଙ୍କ ବାସଭବନ ରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ସଭାପତି ବିଜୟ ନାରାୟଣ ସାହୁ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଜୟପୁର ଡିଆଇଇଟି ଅଧ୍ୟକ୍ଷା ମମତା ଝଡ଼ିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏପିଡି ଗୌରୀ ସାହୁ, ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ସାମନ୍ତରାୟ, ଶିକ୍ଷାବିତ ଲଷ୍ମୀ ନାରାୟଣ ପଟ୍ଟନାୟକ ଯୋଗ ଦେଇଥିଲେ।ସାଇ ଗାୟତ୍ରୀ ପରିବାର ର ପ୍ରତିଷ୍ଠାତା ଲାଲୁ ଷଡଙ୍ଗୀ ନିଜ ବକ୍ତବ୍ୟ ରେ କହିଥିଲେ ଯେ ସାଇ ଗାୟତ୍ରୀ ପରିବାର ୨୦୧୧ ପ୍ରତିଷ୍ଠା କରାଯାଇଥିଲା। ଆଧ୍ୟାତ୍ମ, ସେବା ଓ ରାଷ୍ଟ୍ରବାଦ ହେଉଛି ସାଇ ଗାୟତ୍ରୀ ପରିବାରର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ଷଡଙ୍ଗୀ କହିଥିଲେ। ବିଭିନ୍ନ ସମୟରେ ଗରିବ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା, ଦିବ୍ୟାଙ୍ଗଙ୍କୁ ଉପକରଣ ପ୍ରଦାନ କରିବା ସହ ଅନ୍ୟାନ୍ୟ ସେବାରେ ସାଇ ଗାୟତ୍ରୀ ପରିବାର ଜଡିତ। ଆଜି ବୋରିଗୁମ୍ମା ବ୍ଳକ ର ଗରୀବ ମାଟ୍ରିକ ଛାତ୍ରଛାତ୍ରୀ ଙ୍କୁ ମାଗଣାରେ ଟେଷ୍ଟପେପର ବଂଟନ କରାଯିବ ବୋଲି କହିଥିଲେ। ମୁଖ୍ୟ ଅତିଥି ଭାବେ ଡିଆଇଇଟିର ଅଧ୍ୟକ୍ଷା ମମତା ଝଡ଼ିଆ କହିଥିଲେ ଯେ ସାଇ ଗାୟତ୍ରୀ ପରିବାର ପକ୍ଷରୁ ଏହିପରି ସେବାଙ୍କୁ ସେ ସମ୍ମାନ କରନ୍ତି। ଗରିବ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଟେଷ୍ଟପେପର ବଂଟନ ଏକ ମହାନ ସେବା ବୋଲି କହିଥିଲେ। ପରେ ଅତିଥି ମାନେ ବ୍ଳକ ୩୧ ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ଆସିଥିବା ୭୦ ଜଣ ଗରୀବ ମାଟ୍ରିକ ଛାତ୍ରଛାତ୍ରୀ ଙ୍କୁ ମାଗଣାରେ ଟେଷ୍ଟପେପର ବଂଟନ କରିଥିଲେ। ମାନସ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାଇ ଗାୟତ୍ରୀ ପରିବାର ର ଲାଲୁ ଷଡଙ୍ଗୀଙ୍କ ସହଧର୍ମିଣୀ ଗୀତାଞ୍ଜଳି ମିଶ୍ର, ବିଜୟ ନାରାୟଣ ସାହୁ, ମୁନା ଦୋରା, ରଞ୍ଜନ କୁମାର ମିଶ୍ର, ଜି ମୋହନ ଦୋରା, ଚିଂଟୁ ପାଣିଗ୍ରାହୀ, ବୃନ୍ଦାବନ ପଣ୍ଡା,ଆନନ୍ଦ ପାଢୀ ପ୍ରମୁଖ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି