

ବଲାଙ୍ଗୀର, ୨୬ ଜୁଲାଇ(ହି.ସ.) – ବଲାଙ୍ଗୀର ଜିଲ୍ଲାର ବାଘବଡ଼, ଖୁଜେନପାଲିର ୫୫ ବର୍ଷୀୟ କୃଷକ ଶ୍ରୀ ନାରାୟଣ ସାହୁ କାମ କରୁଥିବା ସମୟରେ ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା, ତାଙ୍କୁ ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ସଫଳତାର ସହ ଅସ୍ତ୍ରୋପଚାର କରି ଜୀବନ ରକ୍ଷା କରାଯାଇଛି। କୋଦାଳର କାଠବେଣ୍ଟ ତାଙ୍କ ବାମ ବାହୁ ଓ ଛାତିରେ ପଶିଯାଇ ଗମ୍ଭୀର ଆଘାତ ଲାଗିଥିଲା, ଯାହାକି ତାଙ୍କ ଜୀବନକୁ ଗୁରୁତର ବିପଦରେ ପକାଇଥିଲା। ଏହି ଅସାଧାରଣ ଘଟଣାରେ ସ୍ଥାନୀୟ ଡାକ୍ତରୀ ଦଳଙ୍କ ସମୟୋଚିତ ପଦକ୍ଷେପ, ଦକ୍ଷତା, ସାହସିକତା ଓ ସମର୍ପଣରେ ପ୍ରାୟ ୨ ଘଂଟା ଧରି ଚାଲିଥିବା ଜଟିଳ ଅସ୍ତ୍ରୋପଚାର ଦ୍ୱାରା ଶରୀରରୁ କୋଦାଳକୁ ସଫଳତାର ସହ ବାହାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସନ୍ତୋଷଜନକ ରହିଛି ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହି ସଫଳ ଅସ୍ତ୍ରୋପଚାରଟି ଡାକ୍ତର ସୁମିତ ସାମଲ, ଡାକ୍ତର ଅନିଲ ବେହେରା, ଡାକ୍ତର ସରୋଜ ଗୋଛାୟତ, ଡାକ୍ତର ସତ୍ୟବ୍ରତ ସାମଲଙ୍କ ସହିତ ଆନାସ୍େଥସିଆ ଟିମ୍ ଓ ଅସ୍ତ୍ରୋପଚାର କକ୍ଷର କର୍ମଚାରୀମାନଙ୍କ ସମନ୍ୱିତ ପ୍ରୟାସରେ ସମ୍ପାଦିତ ହୋଇଥିଲା। ସ୍ଥାନୀୟ ସ୍ୱାସ୍ଥ୍ୟସେବାରେ ଏହି ପ୍ରକାରର ଜଟିଳ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଥିବାରୁ ଏହାକୁ ଜିଲ୍ଲାର ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ମାଇଲସ୍େଟାନ୍ ବୋଲି ଗଣାଯାଉଛି। ଏହି ସାହସିକ ପଦକ୍ଷେପ ଦ୍ୱାରା ଜଣେ ଗରିବ କୃଷକଙ୍କ ଜୀବନରକ୍ଷା ହୋଇଥିବାରୁ ସ୍ଥାନୀୟ ଲୋକମାନେ ମଧ୍ୟ ଡାକ୍ତରୀ ଦଳଙ୍କୁ ପ୍ରଶଂସା କରୁଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଏହି ସଫଳତାକୁ ବଲାଙ୍ଗୀର ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ସଫଳତା ବୋଲି ବିବେଚନା କରିଥିଲେ ଏବଂ ଡାକ୍ତରୀ ଦଳଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ସ୍ଥାନୀୟ ସ୍ୱାସ୍ଥ୍ୟସେବାରେ ଏହି ପ୍ରକାରର ସାହସିକ ଓ ସଫଳ ପଦକ୍ଷେପ ଜନସାଧାରଣଙ୍କୁ ଆଶା, ଆତ୍ମବିଶ୍ୱାସ ଓ ସୁରକ୍ଷାର ଭାବନା ଦେଇଥାଏ। ଏହି ଘଟଣା କେବଳ ଜଣେ କୃଷକଙ୍କ ଜୀବନରକ୍ଷାରେ ସୀମିତ ନୁହେଁ, ବରଂ ସ୍ଥାନୀୟ ସ୍ୱାସ୍ଥ୍ୟସେବାର କ୍ଷମତା, ସମର୍ପଣ ଓ ପ୍ରତିଶ୍ରୁତିର ଏକ ସ୍ପଷ୍ଟ ପ୍ରମାଣ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ