
କେନ୍ଦ୍ରାପଡ଼ା, ୨୬ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ୨୦ ଦିନ ହେଲା ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ତଳିଆ ଅଂଚଳରେ ବସବାସ କରୁଥିବା ଲୋକମାନେ ପାଣି ଘେରରେ ଥିବାବେଳେ ଅନେକଗୁଡ଼ିଏ ରାସ୍ତା ବର୍ଷା ଜଳରେ ବୁଡ଼ି ରହିଛି। ମାଟିକାନ୍ଥ, ଚାଳଘରଗୁଡ଼ିକ କେତେକ ସ୍ଥାନରେ ଭାଙ୍ଗି ପଡ଼ିଥିବାବେଳେ ବହୁ ପୁରୁଣା ଘରଗୁଡ଼ିକ ବିପଦ ଜନକ ଅବସ୍ଥାରେ ପଡ଼ିରହିଛି। ରଣପଡ଼ା, ଜଇପୁରା, ଆମ୍ବାଳି ଏବଂ ବାଇପାସ୍ ରାସ୍ତାର ନଦୀକୁଡ଼ାରେ ବସବାସ କରୁଥିବା ଭୂମିହୀନମାନେ ପାଣି ଘେରରେ ରହିଛନ୍ତି। ଗୋବରୀ ନଦୀ ଫୁଲିଥିବାରୁ ଏହି କୂଳ ବାସିନ୍ଦାମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ରଣପଡ଼ା ଗ୍ରାମର ଜଳ ନିଷ୍କାସନ ବାଟ ନଥିବାରୁ ଗ୍ରାମର ଅଧିକାଂଶ ଘରଗୁଡ଼ିକ ପାଣି ଘେରରେ ରହିଛି। ପ୍ରାୟ ଦୁଇଫୁଟରୁ ଅଧିକ ବର୍ଷାଜଳ ଘର ଭିତରେ ରହିଥିବାରୁ ବରିଷ୍ଠ ନାଗରିକ, ମହିଳା, ଶିଶୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛନ୍ତି। ଘର ଭିତରେ ଥିବା ଖଟ ଉପରେ ରୋଗୀ ଓ ବୟସ୍କାମାନେ ରାତି ଦିନ ବସିଥିବାବେଳେ ଶୌଚ ହେବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରଣପଡ଼ା ଗ୍ରାମରେ ଜଳ ନିଷ୍କାସନ ବାଟକୁ ସ୍ଥାନୀୟ ଅଂଚଳର କିଛି ବ୍ୟକ୍ତି ଜୋର ଜବରଦସ୍ତ ଘର କରିଥିବାରୁ ପୌର ପ୍ରଶାସନ ଏମାନଙ୍କୁ ଉଚ୍ଛେଦ କରିନପାରିବାରୁ ଗ୍ରାମବାସୀ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ତୁରନ୍ତ ସରକାରୀ ଜାଗାରେ ଜବରଦଖଲ କରି ଗୃହ ନିର୍ମାଣ କରିଥିବା ଘରକୁ ଭାଙ୍ଗି ଜଳ ନିଷ୍କାସନ ବାଟ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି