
କେନ୍ଦ୍ରାପଡ଼ା, ୨୬ ଜୁଲାଇ(ହି.ସ.) – ତୁଳସୀ କ୍ଷେତ୍ରାଧିପତି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପ୍ରସିଦ୍ଧ ରଘୁନାଥ ବେଶ ଆଜି ତାଳଧ୍ୱଜ ରଥ ଉପରେ ସମ୍ପନ୍ନ ହୋଇଯାଇଛି। ଏହାସହ ବିଳମ୍ବିତ ରାତିରେ ଦିଅଁ ମାନଙ୍କୁ ପହଣ୍ଡି କରାଯାଇ ଶ୍ରୀମନ୍ଦିର ବିଜେ ନୀତି ସମ୍ପନ୍ନ ହୋଇଥିବା ଜଣାପଡିଛି। ତୁଳସୀ କ୍ଷେତ୍ରର ପରମ୍ପରା ଅନୁଯାଇ ବାହୁଡା ଦ୍ୱଦଶୀ ତିଥିରେ ରଥ ଉପରେ ବିରାଜମାନ କରୁଥିବା ଚତୁର୍ଦ୍ଧାମୂର୍ତିଙ୍କୁ ରଘୁନାଥ ବେଶରେ ସଜ୍ଜିତ କରାଯିବା ସହ ଅଧରପଣା ନୀତି ଲାଗି କରାଯାଏ। ବେଶ ଉଲାଗି ପରେ ପ୍ରାୟ ୧୦ଟା ରାତିରେ ଦିଅଁ ମାନଙ୍କୁ ଧାଡି ପହଣ୍ଡିରେ ନିଆଯାଇ ରତ୍ନ ସିଂହାସନ ଉପରେ ସ୍ଥାପନ କରାଯାଏ। କିଛିବର୍ଷ ହେବ ରୂପାର ତିଆରି କିରିଟ କୁଣ୍ଡଳ, ପୟର ଯୁଗଳ, ତୁଣୀର, ଶ୍ରୀଭୁଜ, ଧନୁତୀର ପ୍ରଭୃତି ରୂପାର ତିଆରି କରାଯାଇ ଜୀଉମାନଙ୍କୁ ସମର୍ପଣ କରାଯାଇଛି। ରୂପାର ସମସ୍ତ ଅଳଙ୍କାର ସହ ଶ୍ରୀ ପୟର, ଶ୍ରୀଭୁଜ ଆଦି ଅଳଙ୍କାରରେ ସଜ୍ଜିତ କରାଯାଉ ଥିବାରୁ ଏହାକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ମଧ୍ୟ ଭକ୍ତ ଶ୍ରଦ୍ଧାଳୁମାନେ ବିପରୀତ ପାଗ ସତ୍ୱେ ସମବେତ ହୋଇଥିଲେ। ସଂନ୍ଧ୍ୟା ସୟରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଆସି ରଥ ନିକଟରେ ମହାପ୍ରଭୁଙ୍କୁ ବନ୍ଦାପନା ଓ ଆଳତୀ କରିବା ସହ ରଥ ପ୍ରଦକ୍ଷିଣ କରିଥିଲେ। ତେବେ ରାତି ୧୦ଟା ସମୟରେ ବେଶ ଉଲାଗି ପରେ ଦିଅଁ ମାନଙ୍କୁ ସେନାପଟା ଓ ମଙ୍ଗଳାର୍ପଣ କରାଯାଇ ପହଣ୍ଡି ବିଜେ କରାଯାଇ ଥିଲା । ଜଗ ମୋହନ ଦ୍ୱାର ନିକଟରେ ମହାଲକ୍ଷ୍ମୀ କବାଟ ବନ୍ଦ କରିଥିବା ସହ ବଚନିକା ପାଠ କରାଯାଇ ମାନ ଭଞ୍ଜନ କରାଯାଇ ଥିଲା। ଦିଅଁ ମାନଙ୍କ ରଘୁନାଥ ବେଶ, ଅଧରପଣା ଲାଗି ଓ ପହଣ୍ଡିି ବିଜେ ଦେଖିବା ପାଇଁ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ମୁଖ୍ୟ ମନ୍ଦିର ନିକଟରେ ଗହଳି କରିଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇ ଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ରବି