
ନୂଆପଡ଼ା, ୨୮ ଜୁଲାଇ (ହି.ସ.)- ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜଡାମୁଣ୍ଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ କିଶୋର ନ୍ୟାୟ (ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା) ଅଧିନିୟମ, ୨୦୧୫ ଏବଂ ଶିଶୁଙ୍କ ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ, ୨୦୦୯ ସମ୍ବନ୍ଧୀୟ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଶିଶୁ କଲ୍ୟାଣ ସମିତିର ସଭ୍ୟ ଗଙ୍ଗାଧର ପାଣିଗ୍ରାହୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋମନା ବଲମତ ମାଝୀ, ବିଦ୍ୟାଳୟର ଅଧ୍ୟକ୍ଷ ନିର୍ମଳ କୁମାର ଶବର, ଶିକ୍ଷୟିତ୍ରୀ ମୋନିକା ଦଳପତି, ବିଦ୍ୟାଳୟର ଶିକ୍ଷକଗଣ, ଛାତ୍ରଛାତ୍ରୀ ଏବଂ ଅଧିକାର ମିତ୍ର ଅଜୀମ୍ ଅଲ୍ଲୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ କିଶୋର ନ୍ୟାୟ (ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା) ଅଧିନିୟମ, ୨୦୧୫ ବିଷୟରେ ବିସ୍ତୃତ ଧାରଣା ଦେଇଥିଲେ ଓ ଶିଶୁଙ୍କ ଅଧିକାରର ସୁରକ୍ଷାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଭୂମିକା ବିଷୟରେ ବୁଝାଇଥିଲେ। ଶିଶୁ କଲ୍ୟାଣ ସମିତିର ସଭ୍ୟ ଗଙ୍ଗାଧର ପାଣିଗ୍ରାହୀ ଶିଶୁମାନଙ୍କ ଯତ୍ନ ଓ ଅଧିକାର ସୁରକ୍ଷାରେ ଶିଶୁ କଲ୍ୟାଣ ସମିତିର ଭୂମିକା ତଥା ଏହାର କାର୍ଯ୍ୟକଳାପ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋମନା ବଲମତ ମାଝୀ ଶିଶୁଙ୍କ ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ, ୨୦୦୯ ବିଷୟରେ ସମ୍ୟକ୍ ଧାରଣା ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ସମସ୍ତ ଅତିଥିବୃନ୍ଦ ବୃକ୍ଷରୋପଣ ମଧ୍ୟ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ