ଲଗାଣ ବର୍ଷା ପ୍ରଭାବ: ଆଜି ଓ ଆସନ୍ତକାଲି ଭଦ୍ରକ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ, ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଂପୂର୍ଣ୍ଣ ସଜାଗ - ଜିଲାପାଳ
ଭଦ୍ରକ, ୨୮ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲାରେ ଲଗାତାର ବର୍ଷା ଜାରି ରହିଥିବାରୁ ଜିଲାପାଳ ଡ. ଦିଲୀପ ରାଉତରାଏଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆଜି ଓ ଆସନ୍ତାକାଲି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳ
BHADRAK LAGANA BARSA PRABHABA


ଭଦ୍ରକ, ୨୮ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲାରେ ଲଗାତାର ବର୍ଷା ଜାରି ରହିଥିବାରୁ ଜିଲାପାଳ ଡ. ଦିଲୀପ ରାଉତରାଏଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆଜି ଓ ଆସନ୍ତାକାଲି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ସମେତ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରଖାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଭାବକ, ଶିକ୍ଷକ ଓ ସମସ୍ତଙ୍କୁ ସତର୍କ ରହିବା ସହ ପାଣିପାଗ ସମ୍ପର୍କିତ ସରକାରୀ ପରାମର୍ଶ ପାଳନ କରିବାକୁ ଅନୁରୋଧ କରାଯାଇଛି। ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଏବେ ସାଳନ୍ଦୀ, ବୈତରଣୀ ନଦୀର ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାର ଜଣାପଡିଛି। ଗତ ୨୪ ଘଂଟା ମଧ୍ୟରେ ଜିଲ୍ଲାରେ ହାରାହାରି ୧୦୪.୬୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସର୍ବାଧିକ ବର୍ଷା ଧାମନଗର ବ୍ଲକରେ ୧୫୫ ମି.ମି. ରେକର୍ଡ ହୋଇଥିବା ବେଳେ ଭଦ୍ରକରେ ୧୪୮ ମି.ମି., ତିହିଡ଼ିରେ ୧୧୩ ମି.ମି., ଭଣ୍ଡାରିପୋଖରୀରେ ୧୦୮ ମି.ମି., ବନ୍ତରେ ୧୦୫ ମି.ମି., ଚାନ୍ଦବାଲିରେ ୬୨.୪ ମି.ମି. ଏବଂ ବାସୁଦେବପୁରରେ ୪୧ ମି.ମି. ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ସତର୍କ ନଜର ରଖାଯାଇଛି। ନିମ୍ନାଂଚଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବା ସହ ଅନାବଶ୍ୟକ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ସମସ୍ତ ବିଭାଗକୁ ସମ୍ଭାବ୍ୟ ବର୍ଷାଜନିତ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବଂ ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଆସନ୍ତାକାଲି ମଧ୍ୟ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ସହ ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ପାଠପଢ଼ା ସ୍ଥଗିତ ରଖାଯାଇଛି। ତେବେ, ସମସ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଣଶିକ୍ଷକ କର୍ମଚାରୀମାନେ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବେ ଏବଂ ପ୍ରଶାସନର ଆବଶ୍ୟକତା ଅନୁଯାୟୀ ସେମାନେ ତୁରନ୍ତ ଦାୟିତ୍ୱ ପାଳନ କରିବେ। ଜନସାଧାରଣଙ୍କ ସୁରକ୍ଷା ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ଗ୍ରହଣ କରାଯାଇଛି । ଜିଲାରେ ବନ୍ୟା ପରିସ୍ଥିତିର ମୁକାବିଲା ନେଇ ଜିଲାପାଳ ଆଜି ଦିନ ୧୨ଟାରେ ଜିଲାସ୍ତରୀୟ ଅଧିକାରୀ, ବିଡିଓ ଓ ତହସିଲଦାରମାନଙ୍କୁ ଡକାଇ ସମୀକ୍ଷା କରିଛନ୍ତି। ଅନୁଷ୍ଠିତ ବୈଠକରେ ବନ୍ୟାଜଳ ପ୍ରବାହିତ ହେବାକୁ ଥିବା ଧାମନଗର, ତିହିଡି, ଚାନ୍ଦବାଲି ଓ ବାସୁଦେବପୁର ୪ଟି ବ୍ଲକ୍କୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେପରି ବନ୍ୟା ପୀଡିତଙ୍କର କୌଣସି ଅସୁବିଧା ନହେବ, ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ତାଗିଦ କରିଛନ୍ତି। ବିଶେଷକରି ତଳି ଅଂଚଳ ଗୁଡିକ ଗସ୍ତ କରି ବନ୍ୟାଜଳ ପ୍ରବାହିତ ହେବାକୁ ଥିବା ସାହିବସ୍ତିର ଲୋକମାନଙ୍କୁ ନିକଟସ୍ଥ ସ୍ଥୁଲରେ ଆଶ୍ରୟ ଦେବାକୁ ବିଡିଓଙ୍କୁ କୁହାଯାଇଛି। ଜିଲା ଓ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ବିଦ୍ୟାଳୟ ଗୁଡିକର ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ଆଶ୍ରିତ ପରିବାରଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ ବନ୍ୟାଂଚଳରେ ସାପ କାମୁଡା ଇଞ୍ଜେକସନ ଓ ହଇଜା ଔଷଧ ମହଜୁଦ ରଖିବାକୁ ଜିଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ବନ୍ୟାଜଳ ଦ୍ୱାରା ପ୍ରଭାବିତ ହେଉଥିବା ନଳକୂପ ଗୁଡିକୁ ବିଶୋଧନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମ୍ୟ ଜଳଯୋଗଣ ଓ ପରିମଳ ବିଭାଗକୁ କୁହାଯାଇଛି। ଏହାବ୍ୟତୀତ ଏହି ୪ଟି ବ୍ଲକ୍ରେ ଥିବା ୯ଟି ଫାୟାର ଷ୍ଟେସନର କର୍ତୃପକ୍ଷଙ୍କୁ ସଜାଗ ରହିବା ସହ ୧୧ଟି ବୋଟ୍ ଓ ଧାମନଗରରେ ଥିବା ଦେଶୀ ଡଙ୍ଗାକୁ ଜରୁରୀ ପରିସ୍ଥିତିରେ ସମ୍ଭାବ୍ୟ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଆଜି ଜିଲାପାଳ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଂପୂର୍ଣ୍ଣ ସଜାଗ ରହିଛି, ଭୟଭୀତ ହେବାର କାରଣ ନାହିଁ। ଏହାବତ୍ୟତ ନଦୀବନ୍ଧ ଗୁଡିକର ସ୍ଥିତି ସଂପର୍କରେ ତଦାରଖ ପାଇଁ ଜଳସଂପଦ ବିଭାଗର ଚିଫ୍ ଇଂଜିନିୟର ଭଦ୍ରକରେ ଆସି ପହଂଚିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande