
ଜୟପୁର, ୨୮ ଜୁଲାଇ (ହି.ସ.) - କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତି ବନ୍ଦ ପାଇଁ ଥାନା ଦ୍ୱାରସ୍ତ ହେଲେ ମାଟିମୂର୍ତି କାରିଗର ସଙ୍ଘ । ବୈପାରୀଗୁଡା ବ୍ଲକର ବିଭିନ୍ନ ଅଂଚଳର ମାଟିମୂର୍ତି କାରିଗରମାନେ ଏକାଠି ହୋଇ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ, ଗତ ୨ ବର୍ଷ ହେବ ୩୨୬ ନମ୍ବର ଜାତୟ ରାଜପଥ ପାର୍ଶ୍ୱ ତଥା ବୈପାରୀଗୁଡା ଥାନା ଠାରୁ ମାତ୍ର ପାଂଚଶହ ମିଟର ଦୂରରେ ବାହାର ଅଂଚଳର କିଛି କାରିଗର ଆସି ଡେରା ପକାଇଛନ୍ତି । ସେମାନେ ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତି ନିର୍ମାଣ କରୁଛନ୍ତି । ଫଳରେ ମାଟିମୂର୍ତି କାରିଗର ଏବେ ହାତ ବାନ୍ଧି ବସିଲାଣି । ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତି ଚାହିଦା ବଢୁଥିବା ବେଳେ ରୋଜଗାର ହରାଉଛନ୍ତି ସ୍ଥାନୀୟ କାରିଗର । ଯେଉଁ କିଛି କାରିଗରମାନେ ମୂର୍ତି ତିଆରି କରୁଥିଲେ ସେମାନେ ମଧ୍ୟ କାରିଗର କାର୍ଯ୍ୟ ଛାଡିବାକୁ ବାଧ୍ୟ ହେଉଛନ୍ତି। ଏଥିସହ ସରକାରଙ୍କ ପକ୍ଷରୁ ପେଶାରତ ମୂର୍ତି କାରିଗରକୁ ପ୍ରୋତ୍ସାହନ ମିଳିପାରୁନଥିବା ନେଇ ଦୁଃଖରେ ପ୍ରକାଶ କରିଛନ୍ତି। ଏଣୁ ବୈପାରୀଗୁଡାରେ ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତି ବନ୍ଦ ପାଇଁ କାରିଗରମାନେ ଦାବୀ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି