
ଜୟପୁର, ୨୮ ଜୁଲାଇ (ହି.ସ.) - କୋରାପୁଟ ଜିଲ୍ଲା ବୋରିଗୁମ୍ମା ନୂତନ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷ ପଦବୀ ଅଣ ସଂରକ୍ଷଣ କରିବା ପାଇଁ ବୋରିଗୁମ୍ମା ବୁଦ୍ଧିଜୀବି ତରଫରୁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦିଅଯାଇଛି। ଆଜି ବୋରିଗୁମ୍ମା ନୂତନ ଏନଏସି ୨୦ ଜଣିଆ ବୁଦ୍ଧିଜୀବୀ ପ୍ରତିନିଧି ମଣ୍ଡଳୀ କୋରାପୁଟ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ପ୍ରସ୍ତାବିତ ପତ୍ର ଅତିରିକ୍ତ ଜିଲ୍ଲାପାଳ ତପନ ନାୟକଙ୍କୁ ପ୍ରଦାନ କରାଯାଇଛି।ପ୍ରସ୍ତାବିତ ପତ୍ରରେ ଦର୍ଶା ଯାଇଛି କି ଗତ ୨୦୦୨ ମସିହା ଠାରୁ ପଂଚାୟତ ର ସରପଂଚ, ସମିତି ସଭ୍ୟ ସମେତ ବ୍ଲକ ଅଧ୍ୟକ୍ଷ ଆସନ ସଂରକ୍ଷଣ ରହିଛି। ଯଦ୍ୱାରା ଦୀର୍ଘ ୨୫ ବର୍ଷ ହେବ ସାଧାରଣ ବର୍ଗ ଏବଂ ପଛୁଆ ବର୍ଗ ଶ୍ରେଣୀ ର ଲୋକେ ରାଜନୀତି ରେ ରୁଚି ରଖୁଥିଲେ ବି ଆସନ ସଂରକ୍ଷଣ କାରଣ ରୁ ପ୍ରତକ୍ଷ ନିର୍ବାଚନ ରେ ପ୍ରତିଦ୍ୱନ୍ଦିତା କରି ନିର୍ବାଚନ ଲଢ଼ିବାରୁ ବଂଚିତ ହେଉଛନ୍ତି।ଦୀର୍ଘ ବର୍ଷ ଧରି ଚୋରିଗୁମ୍ମା ର ବିକାଶ ପାଇଁ ଏନଏସି ମାନ୍ୟତା ପ୍ରଦାନ ପାଇଁ ବିଭିନ୍ନ ସଂଗଠନ ତରଫରୁ ବନ୍ଦ ପାଳନ, ଆନ୍ଦୋଳନ, ହୋଇଥିବା ବେଳେ ଶେଷରେ ବିଲମ୍ଭ ରେ ହେଲେବି ବୋରିଗୁମ୍ମା କୁ ଏନଏସି ମାନ୍ୟତା ମିଳିଲା।୧୪୦୦୦ ଜନ ସଂଖ୍ୟା ବିଶିଷ୍ଟ ବୋରିଗୁମ୍ମା ନୂତନ ଏନଏସି କୁ ୱାର୍ଡ ପୁନର୍ଗଠନ କରାଯାଇ ୧୪ ଗୋଟି ୱାର୍ଡ ରେ ବିଭକ୍ତ ସହ ସେମାନଙ୍କ ଆସନ ସଂରକ୍ଷଣ ରହିଛି।କିନ୍ତୁ ଚଳିତ ଜୁଲାଇ ମାସ ୧୫ ତାରିଖ ଦିନ ବୋରିଗୁମ୍ମା ଏନଏସି ଅଧ୍ୟକ୍ଷ ପଦବୀ ଆଦିବାସୀ ମହିଳା ଙ୍କ ପାଇଁ ସଂରକ୍ଷଣ ନେଇ ସରକାରୀ ସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇଛି।ସରକାର ଙ୍କ ଏହି ବିଜ୍ଞପ୍ତି ବୋରିଗୁମ୍ମା ର ବିଭିନ୍ନ ସଂଗଠନ କୁ ଚକିତ କରିଛି।ବୋରିଗୁମ୍ମା ନୂତନ ଏନଏସି ର ଜନସଂଖ୍ୟା ତାଲିକାରେ ସାଧାରଣ ବର୍ଗ ର ଲୋକଙ୍କ ସଂଖ୍ୟା ଅଧିକ ରହିଛି। ବୋରିଗୁମ୍ମା ନୂତନ ଏନଏସି ରେ ପ୍ରଥମ ନିର୍ବାଚନ ହେବାକୁ ଥିବା ବେଳେ ଏନଏସି ଅଧ୍ୟକ୍ଷ ପଦ କୁ ସଂରକ୍ଷଣ ବଦଳ ରେ ଅଣସଂରକ୍ଷଣ କରିବା ପାଇଁ ସରକାର ଙ୍କୁ ନିବେଦନ କରାଯାଉଛି। ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପ୍ରସ୍ତାବ ପତ୍ର ପ୍ରଦାନ ସମୟରେ ପ୍ରେସ କ୍ଲବ ବୋରିଗୁମ୍ମା ସଭାପତି ବିଜୟ ନାରାୟଣ ସାହୁ, ରଞ୍ଜନ କୁମାର ମିଶ୍ର, କେ.ସାକିଲି ଦୋରା, ଏନ ପିମ୍ପସ କୁମାର,ସୁଶୀଳ ଷଡଙ୍ଗୀ,ଜି ମୋହନ ଦୋରା,ସୀମାଂଚଳ ମହାରଣା, ଦୟାନିଧି ପଟ୍ଟନାୟକ, ସୁଶାନ୍ତ କୁମାର ପଣ୍ଡା, କାଳୀପ୍ରସାଦ ପଣ୍ଡା,ବାପି ହୋତା,ସୁକାନ୍ତ କୁମାର ମାଝୀ, ମାନସ ହୋତା, ଗୋପାଳ ଡଙ୍ଗରି, କେ. ଗିରିବାବୁ, ପି ଅନନ୍ତ ରାଓ, ସିତୁ ଦଳେଇ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି